ଭୁଜାଲି ଦେଖାଇ ଗୋରୁ ବେପାରୀଙ୍କ ଦାଦାଗିରି: ଗାଡ଼ିରୁ ଡେଇଁ କନଷ୍ଟେବଳ ଗୁରୁତର

ରୂପସା,୧।୭(ଡି.ଏନ.ଏ.):ବାଲେଶ୍ୱର ଜିଲା ୬୦ନଂ. ଜାତୀୟ ରାଜପଥରେ ଗୋରୁ ଚାଲାଣକାରୀଙ୍କ ଦାଦାଗିରି ଦିନକୁ ଦିନ ବଢ଼ିବାରେ ଲାଗିଛି। ବାରମ୍ବାର ଚଢ଼ାଉ କରାଯାଇ ଗୋରୁଗୁଡ଼ିକୁ ଉଦ୍ଧାର କରାଯାଉଥିଲେ ମଧ୍ୟ ଗୋଚାଲାଣ ରୋକିବାରେ ପ୍ରଶାସନ ବିଫଳ ହୋଇଛି। ସଦର ବ୍ଲକ ଅଧୀନ ହଳଦୀପଦା ବାଇପାସ୍‌ଠାରେ ଗୁରୁବାର ବିଳମ୍ବିତ ରାତିରେ ଗୋରୁ ବେପାରୀ ଭୁଜାଲି ଦେଖାଇ ପୋଲିସକୁ ଭୟଭୀତ କରାଇବାରୁ ଗାଡ଼ିରୁ ଡେଇଁପଡ଼ି ଜଣେ କନଷ୍ଟେବଳ ଗୁରୁତର ହୋଇଛନ୍ତି।
ବସ୍ତା ଥାନା ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧୀନ ଧିତପୂରାଠାରେ ଏକ ଟାଟା ଏସିଇ (ନଂ. ଓଡ଼ି୦୪-୪୨୨୭)ରେ ଗୋରୁଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ଯୁବକମାନେ ଭ୍ୟାନ୍‌କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଗୋରୁ ବୋଝେଇ ଭ୍ୟାନ୍‌କୁ ଜବତ କରି ୪ ଗୋରୁକୁ ଗୋଶାଳାରେ ଛାଡ଼ିବାକୁ ନେଇଥିଲା। ରାତିରେ ଅନ୍ୟ କୌଣସି ଡ୍ରାଇଭର ନ ପାଇ ପୋଲିସ ସମ୍ପୃକ୍ତ ଭ୍ୟାନ ଡ୍ରାଇଭରଙ୍କ ସହ କନଷ୍ଟେବଳ ରମେଶ ଦାସଙ୍କୁ ବସାଇ ଥାନାକୁ ଆସୁଥିଲେ। ବାଲେଶ୍ୱର ଗୋଶାଳାରୁ ଫେରୁଥିବା ବେଳେ ପୋଲିସ ଭ୍ୟାନ ଓ ଜବତ ଭ୍ୟାନ ଆଗପଛ ହୋଇ ଚାଲିଥିଲା। ହଳଦୀପଦାଠାରେ ଭ୍ୟାନ ଡ୍ରାଇଭର ସିଟ୍‌ ତଳୁ ଏକ ଭୁଜାଲି ବାହାର କରି କନଷ୍ଟେବଳଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। କନଷ୍ଟେବଳ ରମେଶ ଦାସ କୌଶଳକ୍ରମେ ଗେଟ୍‌ ଖୋଲି ଚଳନ୍ତା ଗାଡ଼ିରୁ ଡ଼ିଆଁ ମାରି ଗୁରୁତର ଆହତ ହୋଇଥିଲେ। ଏହାର ସୁଯୋଗ ନେଇ ଜବତ ଭ୍ୟାନ ସହିତ ଡ୍ରାଇଭର ଜଣକ ଚମ୍ପଟ ମାରିଥିଲେ। ଆହତ କନଷ୍ଟେବଳଙ୍କ ମୁଣ୍ଡ, ଗୋଡ଼ରେ ଶକ୍ତ ଆଘାତ ଲାଗିଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।