Categories: ରାଜ୍ୟ

‘ପୂର୍ବତଟ ରେଳପଥକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର’

ଭୁବନେଶ୍ୱର,୧୩।୧(ବ୍ୟୁରୋ): ପୂର୍ବତଟ ରେଳପଥର ସିଂହଭାଗ ଓଡ଼ିଶାରେ ରହିଛି। ୧୯୯୬ରେ ଗଠିତ ଏହି ରେଳ ଜୋନ୍‌ର ମୁଖ୍ୟାଳୟ ମଧ୍ୟ ଭୁବନେଶ୍ୱରଠାରେ ରହିଛି। ଏହା ଓଡ଼ିଶାବାସୀଙ୍କ ସ୍ବାଭିମାନ ଓ ସଂଗ୍ରାମର ପ୍ରତୀକ। ମାତ୍ର ଦୁଃଖ ଓ ଦୁର୍ଭାଗ୍ୟର ବିଷୟ, ଏହାକୁ ଅଧିକ ସଶକ୍ତ କରାଯିବା ପରିବର୍ତ୍ତେ ଦିନକୁ ଦିନ ଦୁର୍ବଳ ଓ ଶକ୍ତିହୀନ କରିଦେବାର ଷଡ଼ଯନ୍ତ୍ର ମୋଦି ସରକାର ଅମଳରୁ କାର୍ଯ୍ୟକାରୀ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ପ୍ରଥମେ ପୂର୍ବତଟ ରେଳପଥର ମୁଣ୍ଡ କୁହାଯାଉଥିବା ୱାଲ୍‌ଟିୟର ଡିଭିଜନକୁ ଆମଠାରୁ ଛଡ଼ାଇ ନେବାର ଘୋଷଣା କରାଗଲା। ସାନ୍ତ୍ୱନା ଦେବା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବତଟର ନୂଆ ରାୟଗଡ଼ା ଡିିଭିଜନ ଗଠନ ହେବାର ଥିଲା। କିନ୍ତୁ ରାୟଗଡ଼ାକୁ ଆନ୍ଧ୍ରର ଦକ୍ଷିଣ ଉପକୂଳ ରେଲ୍‌ୱେ ଡିଭିଜନ ଜୋନ୍‌ ଅଧୀନରେ ରଖାଯାଇଛି। ଏନେଇ ତଥ୍ୟ ସାମ୍ନାକୁ ଆସିବା ପରେ କଂଗ୍ରେସ ଏହାକୁ ବିରୋଧ କରିଛି।

ବୁଧବାର କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖପାତ୍ର ଅମିୟ ପାଣ୍ଡବ ଏ ସଂକ୍ରାନ୍ତ ନଥିପତ୍ର ପ୍ରଦର୍ଶନ କରି ସାଂଘାତିକ ଷଡ଼ଯନ୍ତ୍ରର ଗନ୍ଧ ବାରି ହେଉଥିବା କହିବା ସହ ବିଜେଡି ଓ ଭାଜପାର ଦୋମୁହାଁ ଚରିତ୍ର ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ୨୦୧୯ ଜୁଲାଇ ୧୭ରେ ରାୟଗଡ଼ାରେ ନୂଆ ରେଳ ଡିଭିଜନ ପାଇଁ ଘୋଷଣା କରାଗଲା। ହେଲେ ଏବେ ରାୟଗଡ଼ାକୁ ଆନ୍ଧ୍ରର ଦକ୍ଷିଣ ଉପକୂଳ ରେଲ୍‌ୱେ ଡିଭିଜନ ଜୋନ ଅଧୀନରେ ରଖିବାକୁ ବଜେଟରେ ମଞ୍ଜୁରୀ ମିଳିଥିବା ତଥ୍ୟ ସାମ୍ନାକୁ ଆସିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୀରବ ରହିବା ଅତ୍ୟନ୍ତ୍ର ଦୁର୍ଭାଗ୍ୟଜନକ। ସେହିପରି ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ୱରକୁ ପୂର୍ବତଟ ରେଳପଥ ଅଧୀନକୁ ଅଣାଯାଇ ସେଠାରେ ମଧ୍ୟ ଏକ ଡିଭିଜନ ପ୍ରତିଷ୍ଠା କରାଗଲେ ଶିଳ୍ପ ପ୍ରତିଷ୍ଠାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ। ରାଜ୍ୟରେ ଆଜି ମଧ୍ୟ ରେଳସେବାରୁ ବଞ୍ଚତ୍ତ ଥିବା ୬ଟି ଜିଲାକୁ କେବେ ସୁଦ୍ଧା ରେଳ ସଂଯୋଗ କରାଯିବ ତା’ର ସ୍ପଷ୍ଟୀକରଣ ରେଳମନ୍ତ୍ରୀ ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।