ଛାତ୍ରୀଛାତ୍ରଙ୍କୁ ସଂରକ୍ଷଣରୁ ବଞ୍ଚତ୍ତ କରିବାକୁ ଷଡ଼ଯନ୍ତ୍ର: ଭାଜପା

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟର ଚାଲିଥିବା ବହୁ ପ୍ରଚାରିତ ପଛୁଆବର୍ଗ ସର୍ଭେ ପଛରେ ଥିବା ରାଜ୍ୟ ସରକାରଙ୍କ ଭିତିରି ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି। ରାଜ୍ୟର ପଛୁଆବର୍ଗଙ୍କ ସଂଖ୍ୟାକୁ କମ୍‌ ଦେଖାଇ ୫୪ ପ୍ରତିଶତ ଏସ୍‌ଇବିସି ବର୍ଗଙ୍କୁ ସଂରକ୍ଷଣ ନ ଦେବା ପାଇଁ ରାଜ୍ୟ ସରକାର ଏପରି ନାଟକବାଜି କରୁଛନ୍ତି । ଶାସନକଳ ଏସ୍‌ଇବିସି ବର୍ଗଙ୍କୁ କିପରି ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ସେହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରାଜ୍ୟ ସରକାରଙ୍କ ଏହି ଓବିସି ବିରୋଧୀ ଅଭିଯାନକୁ ସଫଳ ହେବାକୁ ଦିଆଯିବନି ବୋଲି ଭାଜପା ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି । ଶନିବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ୧୯୩୧ ମସିହାର ଜନଗଣନା ଆଧାରରେ ୫୪ପ୍ରତିଶତ ସଂଖ୍ୟାଗରିଷ୍ଠ ପଛୁଆବର୍ଗଙ୍କୁ ସମଗ୍ର ଦେଶର ୨୭ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଯୋଗାଇ ଦିଆଯାଉଥିବା ବେଳେ କେବଳମାତ୍ର ଓଡ଼ିଶା ସରକାର ଏହାକୁ କାର୍ଯ୍ୟକାରୀ କରାଇ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସର୍ଭେ ବାହାନାରେ ରାଜ୍ୟ ସରକାର କେବଳ ପ୍ରଚାର ଚଳାଇଛନ୍ତି। ୨୦ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ଏବେ ବି କେଉଁ କେଉଁ ଜାତି ବର୍ଗର ସର୍ଭେ ହେବ ତାହା ଚୂଡାନ୍ତ ନୁହେଁ। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜାତି କୋଡ୍‌ ନମ୍ବର ତାଲିକାରେ ୨୧୦ ଜାତିବର୍ଗ ନାମ ଉଲ୍ଲେଖ ଅଛି। ନୂତନ ଭାବେ ଅଧ୍ୟାଦେଶ ବଳରେ ଯୋଡାଯାଇଥିବା ଜାତିବର୍ଗ ତାଲିକା କୁଆଡେ ଗଲା। କେନ୍ଦ୍ର ଓବିସି ତାଲିକାରେ ଥିବା ଜାତିମାନେ କ’ଣ ଏଥିରୁ ବଞ୍ଚିତ କି? କେତେକ ଗଣମାଧ୍ୟମରେ ରାଜ୍ୟରେ ପଛୁଆବର୍ଗଙ୍କ ଆପାତତଃ ସଂଖ୍ୟା ପ୍ରକାଶ ପାଇଛି ଏବଂ ଏହି ସଂଖ୍ୟା ବାସ୍ତବତାଠାରୁ ବହୁତ କମ୍‌। କେଉଁ ସରକାରୀ ଅଧିକାରୀ ଏଭଳି ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି ତାହା ରାଜ୍ୟବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ମୁଖ୍ୟମନ୍ତ୍ରୀ ପଛୁଆବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବା ପାଇଁ ଚାହୁଁଛନ୍ତି ତେବେ ରାଜ୍ୟ ସରକାରଙ୍କ ପାଖରେ ଉପଲବ୍ଧ ପଛୁଆବର୍ଗ ତାଲିକା ଏବଂ ଅନ୍ୟ ରାଜ୍ୟମାନଙ୍କର ଯେଉଁ ମାପଦଣ୍ଡ ଅନୁଯାୟୀ ସଂରକ୍ଷଣ ଯୋଗାଇ ଦିଆଯାଉଛି ସେହି ଆଧାରରେ ସଂରକ୍ଷଣ ଯୋଗାଇ ଦେଇପାରନ୍ତେ । କିନ୍ତୁ ସେପରି ନ କରି ମୁଷ୍ଟିମେୟ ପଛୁଆବର୍ଗ ବିରୋଧୀ ଷଡଯନ୍ତ୍ରକାରୀ ଗୋଷ୍ଠୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସଂଖ୍ୟାଗରିଷ୍ଠ ବର୍ଗଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି ବୋଲି ବିଶ୍ୱାଳ ଅଭିଯୋଗ କରିଛନ୍ତି। ନାମଲେଖା ସମୟ ଅବଧି ଶେଷ ପୂର୍ବରୁ ରାଜ୍ୟ ସରକାର ପଛୁଆବର୍ଗ ଛାତ୍ରୀଛାତ୍ରଙ୍କ ପାଇଁ ତୁରନ୍ତ ୨୭ ପ୍ରତିଶତ ସଂରକ୍ଷଣ ଘୋଷଣା କରିବା ପାଇଁ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଦାବି କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ବିବେକାନନ୍ଦ ଜେନା ଓ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।