Categories: ଜାତୀୟ

‘କେଜ୍‌ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି ଭାଜପା’

ନୂଆଦିଲ୍ଲୀ,୩୦।୩: ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଘର ସାମ୍ନାରେ ବୁଧବାର ଭାଜପା କର୍ମୀମାନେ ଜୋରଦାର ବିକ୍ଷୋଭ କରିଛନ୍ତି। ଭାଜପା କର୍ମୀମାନେ କେଜ୍‌ରିୱାଲଙ୍କ ଘରର ଗେଟ ସମ୍ମୁଖରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଏହି ଘଟଣାକୁ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଭାଜପା ଉପରେ ବର୍ଷିଛନ୍ତି।
ସିସୋଦିଆ କହିଛନ୍ତି, ଭାଜପା ପୋଲିସ ସହ ମିଶି କେଜ୍‌ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି। ପୋଲିସର ଉପସ୍ଥିତିରେ ଭାଜପା ଗୁଣ୍ଡାମାନେ କେଜ୍‌ରିୱାଲଙ୍କ ଘରେ ପହଞ୍ଚି ସେଠାରେ ଥିବା ସିସିଟିଭି କ୍ୟାମେରା, ସୁରକ୍ଷା ପ୍ରତିବନ୍ଧକକୁ ଭାଙ୍ଗି ଦେଇଛନ୍ତି। ଏକ ସୁଚିନ୍ତିତ ଷଡଯନ୍ତ୍ରରେ କେଜ୍‌ରିୱାଲଙ୍କୁ ଆକ୍ରମଣ କରାଯାଇଛି। ତାଙ୍କୁ ହଟାଇବାକୁ ଭାଜପା ଚେଷ୍ଟା କରୁଛି। ପୋଲିସ ଜାଣିଶୁଣି ଭାଜପା ଗୁଣ୍ଡାକୁ ନେଇଛି। ପଞ୍ଜାବରେ ପରାଜୟ ହେତୁ ଏସବୁ କରାଯାଇଛି। ଯଦି ନିର୍ବାଚନରେ ଭାଜପା କେଜ୍‌ରିୱାଲଙ୍କୁ ପରାସ୍ତ କରିବାରେ ସକ୍ଷମ ହେଉ ନାହିଁ, ତେବେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଭାଜପା ବିଧାୟକମାନେ କଶ୍ମୀର ଫାଇଲ୍ସ ଫିଲ୍ମକୁ ଟିକସ ମୁକ୍ତ କରିବାକୁ ଦାବି କରିଥିଲେ। ଏହାର ଜବାବରେ କେଜ୍‌ରିୱାଲ ଦିଲ୍ଲୀ ବିଧାନସଭାରେ ଭାଜପାକୁ ତାଚ୍ଛଲ୍ୟ କରି ୟୁଟ୍ୟୁବରେ ଫିଲ୍ମକୁ ରିଲିଜ କଲେ ସମସ୍ତେ ମାଗଣା ଦେଖିପାରିବେ। ତେଣୁ ଟିକସ ମୁକ୍ତର କୌଣସି ଆବଶ୍ୟକ ନ ଥିବା ସେ କହିଥିଲେ। କେଜ୍‌ରିଓ୍ବାଲଙ୍କ ଏପରି ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା।

Share