‘କଂଗ୍ରେସକୁ ଦୁର୍ବଳ କରିବାକୁ ଚାଲିଛି ଷଡ଼ଯନ୍ତ୍ର’

ଭଦ୍ରକ,୩୧।୩(ସନାତନ ରାଉତ): ନିର୍ବାଚନୀ ପାଣ୍ଠି ସଂଗ୍ରହ କରିବା ପାଇଁ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ପ୍ରୟୋଗ କରି ଭାରତର ସବୁଠାରୁ ପୁରୁଣା ଦଳ କଂଗ୍ରେସକୁ ଦୁର୍ବଳ କରିବାକୁ ଭାଜପା ଷଡ଼ଯନ୍ତ୍ର କରୁଛି ବୋଲି ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ ସେଠୀ କହିଛନ୍ତି।

ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଆହୂତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ୨୦୧୮ ରୁ ୨୦୨୪ ମଧ୍ୟରେ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ବିଭିନ୍ନ ରାଜନୈତିକ ଦଳ ମୋଟ ୧୬ ହଜାର ୫୧୮ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ କେବଳ ଭାଜପା ୮ ହଜାର ୨୫୨ କୋଟି ଟଙ୍କା ପାଇଛି। କଂଗ୍ରେସ ମାତ୍ର ୧ ହଜାର ୯୫୦ କୋଟି ଟଙ୍କା ପାଇଥିବା ବେଳେ କେନ୍ଦ୍ରୀୟ ସଂସ୍ଥା ଇନ୍‌କମ୍‌ ଟ୍ୟାକ୍ସ ଲଗାଇ କଂଗ୍ରେସର ସମସ୍ତ ଆକାଉଣ୍ଟକୁ ସିଜ୍‌ କରି ଦିଆଯାଇଛି।

ନିର୍ବାଚନ ସମୟରେ ଆକ୍ରୋଶମୂଳକ ଭାବେ କଂଗ୍ରେସକୁ ଦୁର୍ବଳ କରିବା ପାଇଁ ଓ ନିର୍ବାଚନ ଲଢ଼ି ନ ପାରିବା ଲାଗି ଏପରି ଷଡ଼ଯନ୍ତ୍ର କରାଯାଇଥିବା ସେ ଆରୋପ ଲଗାଇଛନ୍ତି। କଂଗ୍ରେସ ଦୁର୍ବଳ ହୋଇଗଲେ ଭାଜପାର ଏକଛତ୍ରବାଦ ଦେଶରେ ବୃଦ୍ଧି ପାଇବ। ସେମାନଙ୍କର ଏହି ଅଗଣତାନ୍ତ୍ରିକ ପ୍ରୟାସକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଛି ବୋଲି ସେ କହିଥିଲେ। କଂଗ୍ରେସର ଜିଲା ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର, ନାରୀନେତ୍ରୀ ଅମିତାବାଳା ଆଚାର୍ଯ୍ୟ, ସ୍ବସ୍ତିକା ପଣ୍ଡା, ବିଧାନସଭା ଯୁବ ସଭାପତି ଇଲିୟାସ ଅଲ୍ଲୀ ଖାଁ ପ୍ରମୁଖ ଉପସ୍ଥିତ ଥିଲେ।