ଚେତନାର ଅମୃତ ଦିଗନ୍ତ ମା’

ବିମଳ ପ୍ରସନ୍ନ ଦାସ

ଫେବୃୟାରୀ ୨୧ ତାରିଖ ୧୮୭୮- ମଧୁମୟୀ ଦିବ୍ୟଜନନୀ ଶ୍ରୀମାଙ୍କର ୧୪୪ତମ ଶୁଭ ଜନ୍ମତିଥି। ଇତିମଧ୍ୟରେ କାଳବକ୍ଷରେ ୧୪୩ ବର୍ଷ ଅତିବାହିତ ହୋଇଗଲା। ଏ ବର୍ଷ ଆମେ ମା’ଙ୍କର ୧୪୪ ତମ ପବିତ୍ର ଜୟନ୍ତୀ ପାଳନ କରୁଛୁ। ଅଦ୍ଭୁତ ଦିବ୍ୟସଂଯୋଗ- ୧୮୭୮, ୨୧ ଫେବୃୟାରୀ ଯେପରି ଥିଲା ଗୁରୁବାର, ୨୦୧୯ର ୨୧ ଫେବୃୟାରୀ ମଧ୍ୟ ଗୁରୁବାର। ଗୁରୁବାର ଆମେ ମା’ ମହାଲକ୍ଷ୍ମୀଙ୍କ ବାର ଭାବରେ ନିଷ୍ଠାର ସହ ପାଳନ କରିଥାଉ। ସେ ହିଁ ପ୍ରାଚୁର୍ଯ୍ୟ ଓ ଧନର ଆରାଧ୍ୟା ଦେବୀ। ମହାଯୋଗୀ ଶ୍ରୀଅରବିନ୍ଦ ଦିବ୍ୟଜନନୀଙ୍କର ଚାରୋଟି ମହାରୂପ ଆମ ଆଗରେ ବର୍ଣ୍ଣନା କରିଛନ୍ତି; ଯଥା ମହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ ଏବଂ ମହାସରସ୍ବତୀ। ମହାଯୋଗୀଙ୍କ ଦିବ୍ୟଦୃଷ୍ଟିରେ ମା’ ହିଁ ସର୍ବୋତ୍ତମା ଶକ୍ତି, ସେ ହିଁ ଆଦିମାତା, ଅଦିତି। ମାନୁଷୀ ଶରୀରରେ ଆଉ ଜଣେ ପାର୍ଥତ୍ବ ଜନନୀଙ୍କ ଗର୍ଭରୁ ଜନ୍ମ ହେଲେ। ଯିଏ ଅନନ୍ତକାଳ, ସେ ପୁଣି କାଳ ହାତରେ ନିଜକୁ ସମର୍ପି ଦେଇ ଜନ୍ମ-ମୃତ୍ୟୁର ଘୂର୍ଣ୍ଣନ ମଧ୍ୟରେ ଆବିର୍ଭୂତା ହେଲେ। ଅସୀମା ହେଲେ ସୀମା। ଏହି ସୀମାଭୁକ୍ତ ପୃଥିବୀକୁ ଦିବ୍ୟ ରୂପାନ୍ତର ଦେଇ ଅମରାବତୀରେ ପରିଣତ କରିବା ଲାଗି ତାଙ୍କ ମାତୃ ହୃଦୟର ଏ ଅଲୌକିକ କରୁଣା। ପରା ପ୍ରକୃତିର ଅପରା ରୂପାୟନ। ଚିନ୍ମୟୀ ଶକ୍ତିଙ୍କର ମୃଣ୍ମୟୀ ରୂପ ଧାରଣ।
ଅତିମାନସ ଶକ୍ତି, ଜ୍ୟୋତି ଓ ଚେତନାର ଅବତାର ପୁରୁଷ ଶ୍ରୀଅରବିନ୍ଦଙ୍କର ସେ ସହ-ତପସ୍ବିନୀ-ଉତ୍ତର ସାଧିକା। ଶ୍ରୀଅରବିନ୍ଦ ତ୍ୱ ହେଲେ ଶ୍ରୀମା ହେଉଛନ୍ତି ସେ ତ୍ୱ’ର ସରଳ, ପ୍ରାଞ୍ଜଳ ବ୍ୟାଖ୍ୟା। ଶ୍ରୀଅରବିନ୍ଦ ସାଧ୍ୟ ହେଲେ, ଶ୍ରୀମା ତାଙ୍କର ସାଧନା ଓ ସିଦ୍ଧି। ଶ୍ରୀଅରବିନ୍ଦ ତପଶକ୍ତି ହେଲେ, ଶ୍ରୀମା ତାଙ୍କର କ୍ରିୟାଶକ୍ତି। ଶ୍ରୀଅରବିନ୍ଦଙ୍କୁ ଆମର ମନ, ବୁଦ୍ଧି, ବାକ୍ୟ ସ୍ପର୍ଶ କରିପାରେନା। ସେ ଆମ ପାଖେ ପାଖେ ଥିଲେ ମଧ୍ୟ ଆମେ ତାଙ୍କର ସୌର ତେଜର ପ୍ରଚଣ୍ଡତା ସହ୍ୟ କରିପାରୁନା। କିନ୍ତୁ ମା’ ଆମ ଦେହକୁ ଦେହ ଲାଗିକରି ଅଛନ୍ତି। ଆମ ପ୍ରାଣ ଓ ମନକୁ ମଧ୍ୟ ଲାଗିକରି ଅଛନ୍ତି। ମା’ଟିଏ ତା’ର ପିଲାକୁ ଦେହଲଗ୍ନ କରି ରଖିଲା ଭଳି ସେ ଆମକୁ ତାଙ୍କ ଦେହକୁ ଲଗାଇ ରଖିଛନ୍ତି। ମାଆ ସୂର୍ଯ୍ୟ ତେଜକୁ ଧାରଣ କରିଛନ୍ତି। ସେ ସ୍ବୟଂ ସବୀତ୍ୱ, ଶକ୍ତି, ସାବିତ୍ରୀ। ସେ ମଧ୍ୟ ବ୍ରହ୍ମଶକ୍ତି ଗାୟତ୍ରୀ। ସେହିଁ ଚେତନାର ଅମୃତ ଦିଗନ୍ତ।
ଏ ସବୁ ସତ୍ତ୍ୱେ ସେ ସନ୍ତାନ ଲାଗି ସୁଧାମୟୀ, ପ୍ରେମମୟୀ, କଲ୍ୟାଣମୟୀ, ଶ୍ରୀମୟୀ ଆହ୍ଲାଦିନୀ ଚନ୍ଦ୍ରମା ଭଳି, ସେ ଆମକୁ ଅତିମାନସର ସ୍ନିଗ୍‌ଧ ଜ୍ୟୋତ୍ସ୍ନାରେ ଆପ୍ଳୁତ କରି ରଖିଛନ୍ତି। ପ୍ରଚଣ୍ଡ ମାର୍ତଣ୍ଡର ଅମ୍ଳାନ ତେଜକୁ ସେ ନିଜ ଭିତରେ ଧାରଣ କରିଛନ୍ତି, କିନ୍ତୁ ସେ ତେଜକୁ ଆମ ପାଇଁ ଚନ୍ଦ୍ରମାର ଶାନ୍ତ ଶୀତଳ ଜ୍ୟେତ୍ସ୍ନାରେ ରୂପାନ୍ତରିତ କରି ଅଜାଡି ଦେଇଛନ୍ତି। ମା’ଙ୍କ ବ୍ୟତିରେକେ ପ୍ରଚଣ୍ଡ ସୂର୍ଯ୍ୟପିଣ୍ଡ ସ୍ବରୂପ ଶ୍ରୀଅରବିନ୍ଦଙ୍କ ସ୍ପର୍ଶ ଆମେ ପାଇ ନଥାନ୍ତୁ। ସେ ନିଜେ ଯେପରି କହିଛନ୍ତି ”ଶ୍ରୀଅରବିନ୍ଦଙ୍କ ବିନା ମୋର ସ୍ଥିତି ନାହିଁ ଏବଂ ମୋ ବିନା ତାଙ୍କର ପ୍ରକାଶ ନାହିଁ“। ପ୍ରଫେସର ମନୋଜ ଦାସଙ୍କ ଭାଷାରେ- ତାଙ୍କ ବିନା ମୁଁ ଅସ୍ତିତ୍ୱ ସହିତ ମୋ ବିନା ସେ ଅପ୍ରକଟିତ“। ଦୁଇଟି ମହାନ୍‌ ଆତ୍ମାର ମହାମିଳନ। ସତେଯେପରି ଶ୍ୱେତପଦ୍ମ ସହିତ ରକ୍ତପଦ୍ମର, ପ୍ରେମ ସହିତ ପ୍ରଜ୍ଞାର, ଭକ୍ତି ସହିତ ଜ୍ଞାନର, ମହାପୁରୁଷଙ୍କ ସହିତ ମହା ପ୍ରକୃତିର ଏବଂ ଜୀବାତ୍ମା ସହ ପରମାତ୍ମାର। ପୃଥିବୀକୁ ଅମରାବତୀରେ ପରିଣତ କରିବା ପାଇଁ ସତେଯେପରି ଏହି ମୁହୂର୍ତ୍ତ ବିଧିର ବିଧାନ ଏବଂ ପୂର୍ବ ନିର୍ଦ୍ଧାରିତ।
ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ମାତୃଶକ୍ତିକୁ ସବୁଠାରୁ ବେଶି ପ୍ରାଧାନ୍ୟ ଦିଆଯାଇଛି। ମଣିଷ ଜୀବନରେ ଏପରି କୌଣସି ଅବସ୍ଥା ନାହିଁ ଯେଉଁଠି ମହାଶକ୍ତିର ଉପଲବ୍‌ଧି ନାହିଁ। ମାତ୍ର ଆମ ଚେତନାର ଅବସ୍ଥା ଏପରି ଯେ ଆମେ କିଛି ଗ୍ରହଣ କରିବାକୁ ପ୍ରସ୍ତୁତ ନୋହୁଁ, କିନ୍ତୁ ଭାରତର ସମୃଦ୍ଧ ଚେତନା ଇତିହାସର ନିର୍ଯାସ। ଦୁର୍ଭାଗ୍ୟ ଯେ ଭାରତ ବସ୍ତୁବାଦକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିପାରୁ ନାହିଁ କିମ୍ବା ମାୟାବାଦକୁ ଅଗ୍ରାହ୍ୟକରି ପାରୁନାହିଁ। ତେଣୁ ବର୍ତ୍ତମାନ ମାନବ ଜାତି ଏକ ଛଳନାମୟ ମାୟା ଭିତରେ ଛନ୍ଦି ହୋଇଯାଇଛି। ଏଇଥିପାଇଁ ସମାଜରେ ଭ୍ରଷ୍ଟାଚାର, ଦୁର୍ନୀତି ବ୍ୟାପୁଛି। ମାତ୍ର ମା’ ଶ୍ରୀଅରବିନ୍ଦଙ୍କ ଅମୃତମୟ ଦୃଷ୍ଟିରେ ଏ ଅବସ୍ଥା ବେଶି ସମୟ ରହିପାରିବ ନାହିଁ। ଶ୍ରୀମାଙ୍କ ଦିବ୍ୟ ମାତୃଶକ୍ତି ଆମକୁ ଏ ପରିସ୍ଥିତିରୁ ଉତ୍ତୀର୍ଣ୍ଣ କରିନେବ। ପ୍ରକୃତ ଚେତନା କ’ଣ ତା’ ମାନବ ଜାତି ଆଗରେ ଉତ୍‌ଥାପନ କରିବ। ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଯୁଗ୍ମସତ୍ତାକୁ ପାଶ୍ଚାତ୍ୟ ମତାନୁଯୋଗୀ ପ୍ରାଚ୍ୟ ଓ ପାଶ୍ଚାତ୍ୟର ସର୍ବୋତ୍ତମ ସମନ୍ବୟ ବୋଲି କହୁଛନ୍ତି। ତାହା ନିଶ୍ଚୟ ଆଂଶିକ ସତ୍ୟ। ବରଂ ଆଧ୍ୟାତ୍ମିକତାର ଦୁଇଟି ଦିଗ। ଯୋଗ ଓ ତନ୍ତ୍ରର ଏକ ପୂର୍ଣ୍ଣାଙ୍ଗ ସତ୍ୟ ହେଉଛନ୍ତି ଶ୍ରୀମା ଓ ଶ୍ରୀଅରବିନ୍ଦ।
ସୁତରାଂ ଆମର ମା’ଙ୍କ ପ୍ରତି ଶ୍ରଦ୍ଧା, ଆନ୍ତରିକତା ଓ ସମର୍ପଣ ଯେତିକି ପୂର୍ଣ୍ଣତର ହେବ, ମା’ଙ୍କର ଅଭୟ ଓ କରୁଣା ସେତିକି ଆମକୁ ଘେରି ରହିବ। ମା’ଙ୍କ କୃପାରୁ ଅଳ୍ପ ଟିକିଏ ବି ଆମକୁ ସକଳ ବାଧା ବିପତ୍ତି ଓ ସଙ୍କଟରୁ ପାର କରିଦେବ। ନିରାପଦରେ ଆମ ପଥରେ ଆମେ ଚାଲିଯାଇ ପାରିବା। କାରଣ ସେ ପଥ ମା’ଙ୍କର। ଏ ଜଗତରେ ହେଉ ବା ଅଦୃୃଶ୍ୟଜଗତ ସମୂହରେ ହେଉ କୌଣସି ଶତ୍ରୁଶକ୍ତି ଆମକୁ ସ୍ପର୍ଶ କରିପାରିବ ନାହିଁ। ମା’ଙ୍କ କରୁଣାର ସ୍ପର୍ଶରେ ସଂକଟ ସୁଯୋଗରେ, ବ୍ୟର୍ଥତା ସାର୍ଥକତାରେ ଓ ଦୁର୍ବଳତା ଅମୋକ୍ଷ ସାମର୍ଥ୍ୟରେ ରୂପାନ୍ତରିତ ହୋଇଯିବ। କାରଣ ଦିବ୍ୟଜନନୀଙ୍କ ଅନୁକମ୍ପା ହେଲା ପରମେଶ୍ୱରଙ୍କ ଅନୁମତି। ଏବେ ହେଉ ବା ପରେ ହେଉ ଏହାର ଫଳ ସୁନିଶ୍ଚିତ, ପୂର୍ବ ନିର୍ଦ୍ଦିଷ୍ଟ, ଅବଶ୍ୟମ୍ଭାବୀ ଓ ଅନିବାର୍ଯ୍ୟ ”କୌଣସି ମାନୁଷୀ ପ୍ରୟାସ ବା ତପସ୍ୟା ନୁହେଁ, କେବଳ ମା’ଙ୍କର ଶକ୍ତି ହିଁ ଆବରଣ ଛିନ୍ନ କରିଦେଇପାରେ। ଆଧାରକୁ ଗଢ଼ିପାରେ। ଆଜିର ତମିଶ୍ରା, ମିଥ୍ୟା, ମୃତ୍ୟୁ, ବେଦନାପୂର୍ଣ୍ଣ ଜଗତରେ ଉତ୍ତାରି ଆଣିପାରେ ସତ୍ୟ, ଜ୍ୟୋତି, ଦିବ୍ୟଜୀବନ ଓ ଅମର ଆନନ୍ଦ“, ମା’ଙ୍କର ପ୍ରେମ ଓ କରୁଣା ଆମ ଚେତନାକୁ ଅମୃତାୟିତ କରୁ – ଏତିକି ପ୍ରାର୍ଥନା।
ମୋ: ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri