ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି। ବିବେକ ଆଧାରରେ ଜାତୀୟ ସଙ୍ଗୀତ ଗାନ କରିବାକୁ ମନା କରିଥିବା ପିଲାମାନଙ୍କୁ ସୁରକ୍ଷା ଦେବା ଲାଗି ୧୯୮୬ରେ ଦିଆଯାଇଥିବା ରାୟକୁ ସର୍ବୋଚ୍ଚ ଅଦାଲତ ଏହି ଅବସରରେ ମନେ ପକାଇ ଦେଇଛନ୍ତି।
ଜାତୀୟ ଗାନ ବମ୍ବେ ମାତରମ୍‌ର ସମସ୍ତ ୬ଟି ପଦକୁ ଗାନ କରିବା ବାଧ୍ୟତାମୂଳକ ବୋଲି କେନ୍ଦ୍ର ସରକାର ନିକଟରେ ଆଣିଥିବା ଆଇନକୁ କର୍ନାଟକୀ ସଙ୍ଗୀତ ଗାୟକ ଟି.ଏମ୍‌. କ୍ରିଷ୍ଣା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଗାନର ଶେଷ ୪ଟି ପଦ ଦେଶର ଧର୍ମନିରପେକ୍ଷତା ଚରିତ୍ରକୁ କ୍ଷୁଣ୍ଣ କରୁଥିବା ସେ ଦର୍ଶାଇଥିଲେ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉକ୍ତ ପିଟିଶନ୍‌ର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ସଂଶୋଧନ ଆଇନ ପରିଚାଳନା ପାଇଁ ବିଜୟ ଏମାନୁଏଲ୍‌ ବନାମ କେରଳ ସରକାର ମାମଲାରେ ୧୯୮୬ରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ପ୍ରଣୀତ ସିଦ୍ଧାନ୍ତକୁ ଅନୁସରଣ କରାଯିବା ଆଶା କରାଯାଏ ବୋଲି ଖଣ୍ଡପୀଠ କହିଛନ୍ତି। ଜାତୀୟ ଗାନ କ’ଣ ହେବ ଏବଂ ସେଥିରେ ୨ କିମ୍ବା ୪ ପଦ ରହିବ, ସେ ନିଷ୍ପତ୍ତି ନେବା ଗଣତାନ୍ତ୍ରିକ ରାଷ୍ଟ୍ରର ଅଧିକାର। ତେବେ ଯେଉଁମାନେ ଧର୍ମୀୟ ସ୍ବାଧୀନତା ମୌଳିକ ଅଧିକାର କିମ୍ବା ନିଜର ବିବେକଗତ ବିରୋଧ ଅନୁଭବ କରନ୍ତି, ସେମାନଙ୍କୁ କୌଣସି ପ୍ରକାର ଫୌଜଦାରି ଦଣ୍ଡ ଭୋଗିବାକୁ ପଡ଼ିବ ନାହିଁ ବୋଲି ଖଣ୍ଡପୀଠର ଅନ୍ୟତମ ବିଚାରପତି ଜୟମାଲ୍ୟ ବାଗ୍‌ଚୀ କହିଛନ୍ତି।

Dharitri – Odisha’s No.1 Odia Daily

Share