ଯୁବପିଢ଼ିଙ୍କୁ ପରିବେଶ ସହ ଯୋଡ଼ିବା Dharitri Youth Conclave ର ମୁଖ୍ୟ ଲକ୍ଷ୍ୟ: ଆଦ୍ୟାଶା ସତପଥୀ

ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସିଇଓ ଆଦ୍ୟାଶା ସତପଥୀ ଧରିତ୍ରୀ ୟୁଥ କନକ୍ଲେଭ ୨୦୨୬ (Dharitri Youth Conclave 2026) ଅବସରରେ କହିଛନ୍ତି ଯେ ଯୁବପିଢ଼ିଙ୍କୁ ପରିବେଶ ସୁରକ୍ଷା ସହିତ ଯୋଡ଼ିବା, ତୃଣମୂଳ ସ୍ତରର ପରିବେଶବିତ୍‌ଙ୍କୁ ସହାୟତା ପ୍ରଦାନ କରିବା ଏବଂ ପରିବେଶ ପ୍ରତି ଭଲପାଇବା ଓ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

ସେ ଆହୁରି କହିଛନ୍ତି ଯେ ପରିବେଶ ପାଇଁ ଭଲପାଇବା ଓ ଚିନ୍ତା ରହିଲେ ହିଁ ତାକୁ ସୁରକ୍ଷା ଦିଆଯାଇପାରିବ । ଯଦି ପରିବେଶ ପ୍ରତି ଚିନ୍ତା କିମ୍ୱା ଦରଦ ନ ଥାଏ, ତେବେ କେହି ଏହାର ଯତ୍ନ ନେବେ ନାହିଁ । ଯୁବପିଢ଼ିଙ୍କୁ ପରିବେଶ ବିଷୟ ସହ ପରିଚିତ କରାଇବା ଦ୍ୱାରା ସେମାନେ ସଚେତନ ହେବେ ଓ ସୁରକ୍ଷା ପ୍ରତି ଆଗ୍ରହୀ ହେବେ । ପରିବେଶ ଉପରେ ଯେତେ ଆଲୋଚନା ହେବ, ଯେତେ ବିଶ୍ଳେଷଣ ହେବ ପରିବେଶରେ ସୁରକ୍ଷା ପାଇଁ ସରକାରୀ ସ୍ତରରେ ଏକ ପଲିସି ଆସିପାରିବ।

ଓଡ଼ିଶାରେ ପରିବେଶ ପାଇଁ କାମ କରୁଥିବା ଯୁବବିଢି ଓ ତୃଣମୂଳ ସ୍ତରର ପରିବେଶବିତ୍‌ଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ଆର୍ଥିକ ସହାୟତା ଓ ମେଣ୍ଟରସିପ ଦେବା ଏବଂ ପରସ୍ପର ମଧ୍ୟରେ ଏକ ନେଟୱାର୍କ ଗଢ଼ିବା ପାଇଁ ‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’ ଆରମ୍ଭ କରାଯାଇଛି ।

କନକ୍ଲେଭରେ ସିନେମା, ସଙ୍ଗୀତ, କଳା ଓ ପୁସ୍ତକ ଭଳି ସୃଜନଶୀଳ ମାଧ୍ୟମ ଜରିଆରେ ପରିବେଶ ସମସ୍ୟାକୁ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯାଇଛି । କ୍ଲାଇମେଟ ଫିଲ୍ମ ଫେଷ୍ଟ, ବିଶେଷଜ୍ଞ ପ୍ୟାନେଲ ଏବଂ ଆହ଼୍ବାନ ପ୍ରୋଜେକ୍ଟ’ର ସଙ୍ଗୀତ ପରିବେଶ ସଚେତନତାରେ ନୂଆ ଶକ୍ତି ଭରିଛି।

ଧରିତ୍ରୀ ଓ ଧରିତ୍ରୀ ୟୁଥ କନକ୍ଲେଭ ଆଗାମୀ ଦିନରେ ମଧ୍ୟ ପରିବେଶ ପ୍ରସଙ୍ଗକୁ ପ୍ରାଥମିକତା ଦେବା ସହ ଯୁବ ପରିବେଶବିତ୍‌, ବିଶେଷଜ୍ଞ ଏବଂ ସୃଜନଶୀଳ କଳାକାରମାନଙ୍କୁ ଏକାଠି କରି ଏହି ଅଭିଯାନକୁ ଜାରି ରଖିବ ବୋଲି ସେ କହିଛନ୍ତି ।

Share