ନୂଆଦିଲ୍ଲୀ,୨୬ା୧୧(ଲାଲା ସୁନୀଲ କୁମାର ରଥ): ୨୦୨୭ରେ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ୱାଚନରେ ସମାଜବାଦୀ ପାର୍ଟି (ସପା) ଏବଂ କଂଗ୍ରେସ ଏକାଠି ନିର୍ୱାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏବେଠୁ ଆସନ ବୁଝାମଣାକୁ ନେଇ ଉଭୟ ଦଳ ମଧ୍ୟରେ ଟଣାଓଟରା ଲାଗିଥିବା ଖବର ମିଳୁଛି। ୪୦୩ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ପକ୍ଷରୁ ୧୨୦ ଆସନରେ ଲଢ଼ିବାକୁ ଦାବି କରାଯାଉଥିବାବେଳେ ସପା ମୁଖ୍ୟ ଅଖିଳେଶ ଯାଦବ କିନ୍ତୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ବିଜୟ ସମ୍ଭାବନା ଥିବା ୨୬ଟି ଆସନ କଂଗ୍ରେସକୁ ଦେବାକୁ ପ୍ରାଥମିକ ପର୍ଯ୍ୟାୟରେ ନିଷ୍ପତ୍ତି ନେଇଥିବା ନିଜର ଏକ୍ସ’ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି। ଆଲୋଚନା ଜାରି ରହିଛି, ଆଗକୁ ମିଳିମିଶି ଚିନ୍ତା କରି କଂଗ୍ରେସକୁ ଟିକେଟ ପ୍ରଦାନ କରାଯିବ ବୋଲି ଅଖିଳେଶ ଉଲ୍ଲେଖ କରିିଛନ୍ତି। ଅପରପକ୍ଷରେ ଅଖିଳେଶଙ୍କ ଏଭଳି ନିଷତ୍ତିକୁ କଂଗ୍ରେସ ପକ୍ଷରୁ ନାପସନ୍ଦ କରାଯାଇଛି।
ଆଗାମୀ ଉତ୍ତରପ୍ରଦେଶ ନିର୍ୱାଚନରେ ଭାଜପାକୁ ଟକ୍କର ଦେବା ପାଇଁ ସପା ଏବଂ କଂଗ୍ରେସ ଏକାଠି ଲଢ଼ିବାକୁ ଏଯାବତ୍ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନ ଥିଲେ ହେଁ ଉଭୟ ଦଳ ମଧ୍ୟରେ ଆସନ ବଣ୍ଟାକୁ ନେଇ ଆଲୋଚନା ଜାରି ରହିଛି। ୨୦୨୨ ନିର୍ୱାଚନରେ ଉଭୟ ଦଳ ଅଲଗା ଲଢ଼ିଥିଲେ। ସେଥିରେ
ଅଖିଳେଶଙ୍କୁ ହରାଇବାକୁ
୧୨୫ ଆସନରେ ସପା ବିଜୟୀ ହୋଇଥିବାବେଳେ କଂଗ୍ରେସ ମାତ୍ର ୨ଟି ଆସନରେ ଜିତି ଥିଲା। ତେଣୁ ଆଗାମୀ ନିର୍ୱାଚନରେ କଂଗ୍ରେସ ସପା ସହ ମିଶି ନିର୍ୱାଚନ ଲଢ଼ିବାକୁ ଚିନ୍ତା କରି ଆଲୋଚନା ଜାରି ରଖିଛି। ଉଭୟ ଦଳର ନେତାଙ୍କ ମଧ୍ୟରେ ଗତ ରବିବାର ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିବାବେଳେ ଆସନ ବୁଝାମଣାକୁ ନେଇ କୌଣସି ନିଷ୍କର୍ଷ ବାହାରି ନ ଥିଲା। ତେବେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ କଂଗ୍ରେସକୁ ମାତ୍ର ୨୬ ଆସନ ମିଳିବ ବୋଲି ଅଖିଳେଶ କହିଛନ୍ତି। ଅପରପକ୍ଷରେ ଏତେ କମ୍ ଆସନକୁ ନେଇ କଂଗ୍ରେସ ଏବେ ଚିନ୍ତାରେ ପଡ଼ିଥିବାବେଳେ ଏହି ସଂଖ୍ୟା ୫୦କୁ ବଢ଼ିପାରେ ବୋଲି ସପାର କେନ୍ଦ୍ରୀୟ ନେତୃତ୍ୱ ମହଲରେ ଆଲୋଚନା ହେଉଛି। ସପା ରାଜ୍ୟ ସଭା ସଦସ୍ୟ ରାମ ଗୋପାଳ ଯାଦବ କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟର ଏହି ଆଲୋଚନାରେ ୨୦୨୨ରେ କଂଗ୍ରେସର ବିଜୟ ସ୍ଥିତିକୁ ଆଧାର କରି ହୋଇଥିଲା। ଉକ୍ତ ନିର୍ୱାଚନରେ କଂଗ୍ରେସ ମାତ୍ର ୨ଟିରେ ବିଜୟୀ ହୋଇଥିବାବେଳେ ୪ଟି ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଅପରପକ୍ଷରେ ସପା ୧୨୫ ଆସନରେ ବିଜୟୀ ହୋଇଥିଲା ବୋଲି ରାମ ଗୋପାଳ କହିଛନ୍ତି। ଅନ୍ୟପକ୍ଷରେ ଆଲୋଚନାରେ ଉପସ୍ଥିତ ଥିବା ଜଣେ କଂଗ୍ରେସ ନେତାଙ୍କ କହିବା ହେଲା, କଂଗ୍ରେସ ଆଶା କରିଥିବା ଆସନରୁ ବହୁ କମ୍ ଆସନ ସପା ତରଫରୁ ଦିଆଯାଉଛି। ଆମର ଦାବିକୁ ସପା ଠିକ୍ଭାବେ ଗ୍ରହଣ କରିନାହିଁ। ୨୬ କିମ୍ୱା ୪୦ ଆସନ ନେଇ ମେଣ୍ଟରେ ଲଢ଼ିବା କଂଗ୍ରେସ ପକ୍ଷରେ ସମ୍ଭବ ନୁହେଁ। ୮୦ ଲୋକ ସଭା ଆସନରୁ ଅତିକମ୍ରେ ଗୋଟିଏ ଲେଖାଏ ଆସନରେ କଂଗ୍ରେସ ଲଢ଼ିବା ଜରୁରୀ ଅଟେ। ତେଣୁ ସର୍ୱନିମ୍ନ ୧୦୦ ଆସନ କଂଗ୍ରେସକୁ ନ ମିଳିଲେ ଦଳ ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି ଉକ୍ତ ନେତା ଜଣକ କହିଛନ୍ତି।
ତେବେ ଏହା ସବୁ ଜନସାଧାରଣଙ୍କ ଖାଦ୍ୟ ଭାବରେ ଗଣମାଧ୍ୟମ ଦ୍ୱାରା ପ୍ରଚାରିତ ହେଉଥିବାବେଳେ ଭିତିରି କଥା ଭିନ୍ନ ବୋଲି ବୁଝାପଡ଼ୁଛି। ଉତ୍ତରପ୍ରଦେଶରେ କଂଗ୍ରେସର କର୍ମୀ କିମ୍ୱା ନେତା ଅଧିକାଂଶ ଜିଲାରେ ନାହାନ୍ତି। କଂଗ୍ରେସ କେବଳ ସପା କର୍ମୀଙ୍କୁ ନେଇ ନିର୍ୱାଚନ ସାମ୍ନା କରିବା ପାଇଁ ଦାବି କରୁଛି। ଅନ୍ୟପଟେ କଂଗ୍ରେସର କେତେକ ମହଲରେ ଆଲୋଚନା ହେଉଛି ଯେ, ଭାଜପା, ମୋଦି ଏବଂ ଯୋଗୀଙ୍କ ବିରୋଧରେ ଜନମତ ବୃଦ୍ଧି ପାଉଛି। ସେହି ବିରୋଧ ପରିସ୍ଥିତିର ଲାଭ ଯଦି ଅଖିଳେଶଙ୍କ ସପା ନେଇ ରାଜ୍ୟରେ ସରକାର ଗଠନ କରନ୍ତି, ତେବେ ତାହା ୨୦୨୯ ଲୋକ ସଭା ନିର୍ୱାଚନରେ ପୁନର୍ୱାର ଭାଜପାର ଲୋକପ୍ରିୟତାକୁ ଫେରାଇ ଆଣିପାରେ। ଅପରପକ୍ଷରେ ଯଦି ୨୦୨୭ ବିଧାନସଭା ନିର୍ୱାଚନରେ ମୋଦି ଏବଂ ଯୋଗୀ ମିଶିକରି ପୁନର୍ୱାର ରାଜ୍ୟରେ ସରକାର ଗଢ଼ନ୍ତି, ତେବେ ଲୋକ ସଭା ନିର୍ୱାଚନ ବେଳକୁ ଉତ୍ତରପ୍ରଦେଶ ଭଳି ସର୍ୱାଧିକ ଆସନ ଥିବା ରାଜ୍ୟରେ ଭାଜପାର ବିପୁଳ ପରାଜୟ ଘଟିବା ଥୟ। ସେଥିପାଇଁ କଂଗ୍ରେସର କେତେକ ନେତା ଚାହୁଁଛନ୍ତି ଯେ, ୨୦୨୭ରେ ଅଖିଳେଶଙ୍କୁ ହରାଇ ଦେଲେ ୨୦୨୯ ବେଳକୁ ପରିସ୍ଥିତି ଆହୁରି ଅଧିକ ଭାଜପା ବିରୋଧୀ ହେବ ଏବଂ କେବଳ କଂଗ୍ରେସ ତାହାର ଲାଭ ଉଠାଇପାରିବ।