Categories: ଜାତୀୟ

‘ଗାନ୍ଧୀ ପରିବାର ହାତରୁ ମୁକ୍ତ ହେଲେ ହିଁ କଂଗ୍ରେସର ଉନ୍ନତି ହେବ’

ନୂଆଦିଲ୍ଲୀ,୧୦ା୮- କଂଗ୍ରେସକୁ ଗାନ୍ଧୀ ପରିବାର ପଞ୍ଝାରୁ ମୁକ୍ତ କରିବାକୁ ପଡ଼ିବ। ନହେଲେ ଦଳକୁ ସୁଦୃଢ଼ କରିବା ଅସମ୍ଭବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ସୋମବାର ରାତିରେ ଆୟୋଜିତ ନୈଶଭୋଜିରେ ଯୋଗ ଦେଇ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ଅକାଳୀ ଦଳର ନରେଶ ଗୁଜରାଲ। ସେହିଭଳି ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ କହିଛନ୍ତି, ୨୦୨୪ରେ ମୋଦିଙ୍କୁ କ୍ଷମତାଚ୍ୟୁତ କରିବାକୁ ହେଲେ ବିରୋଧୀ ଦଳମାନଙ୍କୁ ଏକତ୍ରିତ ହେବାକୁ ପଡ଼ିବ।

ସିବଲଙ୍କ ଜନ୍ମଦିନ ପାଳନ ପାଇଁ ଆୟୋଜିତ ରାତ୍ରିଭୋଜନ ପାଲଟିଯାଇଥିଲା କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧୀ ମେଳି। ଏହି ପାର୍ଟିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କିମ୍ବା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉପସ୍ଥିତ ନ ଥିଲେ। ଏଥିରେ ସାମିଲ ହୋଇଥିବା ବରିଷ୍ଠ ନେତାଙ୍କ ମଧ୍ୟରେ ଥିଲେ ପି. ଚିଦାମ୍ବରମ୍‌, ଶଶୀ ଥରୁର ଓ ଆନନ୍ଦ ଶର୍ମା। ଏହି ୩ ନେତା କଂଗ୍ରେସର ଭବିଷ୍ୟତ ନେଇ ଦଳ ଭିତରେ ପ୍ରଶ୍ନ ଉଠାଇ ଆସୁଛନ୍ତି। ଏମାନଙ୍କ ବ୍ୟତୀତ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର, ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ, ଶିବସେନାର ସଞ୍ଜୟ ରାଉତ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଡେରେକ୍‌ ଓ’ବ୍ରାଏନ୍‌ ଏବଂ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା ମଧ୍ୟ ଉପସ୍ଥିତ ଥିଲେ।

Share