Categories: ଜାତୀୟ

ସଖୀକଣ୍ଢେଇ ଅଧ୍ୟକ୍ଷ ହେଲେ କଂଗ୍ରେସ ତିଷ୍ଠିବ ନାହିଁ: ଚଭନ

ନୂଆଦିଲ୍ଲୀ,୨୯।୮ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ରବିବାର ତାରିଖ ଘୋଷଣା ହୋଇଥିବାବେଳେ ଯଦି ଜଣେ ସଖୀକଣ୍ଢେଇକୁ ଅଧ୍ୟକ୍ଷ ପଦରେ ବସାଇ ଦିଆଯାଏ, ତେବେ ଦଳ ତିଷ୍ଠିବ ନାହିଁ ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚଭନ ରବିବାର ସତର୍କ କରାଇ ଦେଇଛନ୍ତି। କେବଳ ଅଧ୍ୟକ୍ଷ ନୁହେଁ ସିଡବ୍ଲ୍ୟୁସି ସଦସ୍ୟଙ୍କ ସମେତ ସମସ୍ତ ପଦବୀ ଲାଗି ନିର୍ବାଚନ ହେବା ଆବଶ୍ୟକ ବୋଲି ଜି-୨୩ ଅସନ୍ତୁଷ୍ଟ ଗୋଷ୍ଠୀର ସଦସ୍ୟ ଚଭନ କହିଛନ୍ତି। ପଛଦ୍ୱାର ଦେଇ ଦଳକୁ ପରିଚାଳନା କରିବା ଆଉ ଚଳିବ ନାହିଁ। ସର୍ବପୁରାତନ ଦଳକୁ ରକ୍ଷା କରିବାକୁ ହେଲେ ଜରୁରୀ ପଦକ୍ଷେପ ଆବଶ୍ୟକ ବୋଲି ଚଭନ କହିଛନ୍ତି। ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବାକୁ ଚାହୁଁ ନ ଥିବାବେଳେ ତାଙ୍କ ଉପରେ ଚାପ ନ ପକାଇ ବିକଳ୍ପ ବ୍ୟବସ୍ଥା କରାଯାଉ ଏବଂ ଭୋଟ ମାଧ୍ୟମରେ ନୂଆ ଅଧ୍ୟକ୍ଷ ନିର୍ବାଚନ କରାଯାଉ ବୋଲି ଅସନ୍ତୁଷ୍ଟ କଂଗ୍ରେସ ନେତା କହିଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଖୁବ୍‌ ଶୀଘ୍ର ଦଳ ଅଧ୍ୟକ୍ଷ ହେବେ ବୋଲି ବରିଷ୍ଠ କଂଗ୍ରେସ ନେତା ହରିଶ ରାଓ୍ବତ୍‌ କହିଛନ୍ତି।

Share