Categories: ଜାତୀୟ

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ ନାସିମ ଖାନ ଦଳ ଉପରେ ପ୍ରବଳ ବର୍ଷିଛନ୍ତି। ସେ କଂଗ୍ରେସର ପ୍ରଚାର କମିଟିରୁ ଇସ୍ତଫା ଦେବା ସହ ଦଳକୁ ସିଧା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦଳକୁ ମୁସଲିମ୍‌ ଭୋଟ ଦରକାର କିନ୍ତୁ ପ୍ରାର୍ଥୀ ନୁହେଁ।

ନାସିମ ଖାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ଚିଠି ଲେଖି କହିଛନ୍ତି, ସେ ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର କରିବେ ନାହିଁ କାରଣ ମହା ବିକାଶ ଆଗାଡି (ଏମଭିଏ) ଦଳ କୌଣସି ମୁସଲମାନଙ୍କୁ ପ୍ରାର୍ଥୀ କରି ନାହିଁ। ମହାରାଷ୍ଟ୍ରର ମୋଟ ୪୮ଟି ଲୋକ ସଭା ଆସନ ମଧ୍ୟରୁ MVA ଗୋଟିଏ ବି ମୁସଲମାନ ପ୍ରାର୍ଥୀ ଚୟନ କରି ନାହିଁ। ମହାରାଷ୍ଟ୍ରର ବହୁ ମୁସଲମାନ ସଂଗଠନ, ନେତା ତଥା ଦଳର କର୍ମୀ ଆଶା କରୁଛନ୍ତି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟର ଅନ୍ତତଃ ପକ୍ଷେ ଜଣେ ପ୍ରାର୍ଥୀ ହେବା ଉଚିତ। କିନ୍ତୁ ଦୁର୍ଭାଗ୍ୟବଶତ ତାହା ହୋଇନାହିଁ।

ଦଳର ସମସ୍ତ ନେତା ଓ କର୍ମୀ ମୋତେ ପଚାରୁଛନ୍ତି, କଂଗ୍ରେସ ମୁସଲମାନ ଭୋଟ ଚାହୁଁଛି ହେଲେ ସେହି ସମ୍ପ୍ରଦାୟର ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଉନାହିଁ। ଆଉ ଏହି ସବୁ କାରଣରୁ ମୁଁ ମୁସଲମାନମାନଙ୍କ ସାମ୍ନା କରିପାରିବି ନାହିଁ ଏବଂ ତାଙ୍କୁ ଜବାବ ଦେବାକୁ ମୋ ପାଖରେ କୌଣସି ଉତ୍ତର ନାହିଁ। ଏଥିପାଇଁ ମହାରାଷ୍ଟ୍ର କଂଗ୍ରେସ ଅଭିଯାନ କମିଟିରୁ ଇସ୍ତଫା ଦେଉଛନ୍ତି ବୋଲି ଆରିଫ କହିଛନ୍ତି।

Share