Categories: ଜାତୀୟ

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ କଂଗ୍ରେସ ନେତା ତଥା ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି (DPAP) ସଭାପତି ଗୁଲାମ ନବୀ ଆଜାଦ।

ସେ କହିଛନ୍ତି, ବେଳେ ବେଳେ ମୁଁ ସନ୍ଦେହ କରେ ଯେ ଭାଜପା ସହିତ କଂଗ୍ରେସ ମିଶି ଯାଇଛି। କଂଗ୍ରେସରେ ଥିବା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ୨୩ ଜଣ ନେତା ଲଢେଇ କରିଥିଲେ। କିନ୍ତୁ ଦଳର ନେତୃତ୍ୱ ସେମାନଙ୍କ କଥା ଶୁଣି ନ ଥିଲେ। ଯେତେବେଳେ ପ୍ରସଙ୍ଗ ଉଠାଗଲା, ସେତେବେଳେ ସେମାନେ (କଂଗ୍ରେସ ନେତୃତ୍ୱ) କହିଲେ ଯେ, ସେମାନେ (୨୩ ନେତା) ଭାଜପାର ଭାଷା କହୁଛନ୍ତି। ବେଳେ ବେଳେ ମୁଁ ଅନୁଭବ କରେ ସେମାନେ (କଂଗ୍ରେସ) ଚାହାଁନ୍ତି ଯେ ଭାଜପା ବିଜୟୀ ହେଉ।

ଗୁଲାମ ନବୀ ଆଜାଦ ଆହୁରି କହିଛନ୍ତି, ସାରା ଦେଶ ପାଇଁ ଗରିବୀ, ବେକାରୀ ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ହେଉଛି ପ୍ରସଙ୍ଗ। ଯେ କୌଣସି ଦଳ କ୍ଷମତାକୁ ଆସନ୍ତୁ ସେମାନଙ୍କ ପାଇଁ ଗରିବୀ ଓ ବେକାରୀ ଦୂର କରିବା ସବୁଠୁ ବଡ଼ ପ୍ରସଙ୍ଗ। ତା’ସହିତ ମୁଦ୍ରାସ୍ଫୀତି ହ୍ରାସ କରିବା ସେମାନଙ୍କ ପାଇଁ ବଡ଼ ପ୍ରସଙ୍ଗ। ଧର୍ମ ଆଧାରରେ ନୁହେଁ, ବିକାଶ ଆଧାରରେ ନିର୍ବାଚନ ଲଢାଯାଏ।
ଏହି ରାଜନେତାମାନଙ୍କ ଯୋଗୁ ଜମ୍ମୁ ଓ କଶ୍ମିରରେ ଏକ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି।

Share