Posted inଜାତୀୟ

କଂଗ୍ରେସ ବନାମ କଂଗ୍ରେସ

ନୂଆଦିଲ୍ଲୀ,୩ା୩: ବୁଡ଼ିଗଲା ଗୋଡ଼ ତଳକୁ ତଳକୁ। ନିର୍ବାଚନରେ ଲଗାତର ପରାଜୟର ମୁହଁ ଦେଖୁଥିବା ଭାରତର ସର୍ବପୁରାତନ ଦଳ କଂଗ୍ରେସ ପାଇଁ ଏବେ ସମ୍ଭବତଃ ଏହି ଉକ୍ତି ପ୍ରଯୁଜ୍ୟ। ଯେଉଁମାନେ ଦିନେ ଗାନ୍ଧୀ ପରିବାରର ପରମ ଅନୁଗତ ଥିଲେ, ସେମାନେ ଆଜି ଭିନ୍ନ ମେଳି କରିଛନ୍ତି। ୨୩ ଅସନ୍ତୁଷ୍ଟ ନେତାଙ୍କୁ ନେଇ ଗଠିତ ଏକ ଅଣାନୁଷ୍ଠାନିକ ଗୋଷ୍ଠୀକୁ ଜି-୨୩ କୁହାଯାଉଛି। ରାଜ୍ୟ ସଭାରୁ ସଦ୍ୟ ଅବସରପ୍ରାପ୍ତ ନେତା ଗୁଲାମନବୀ ଆଜାଦ୍‌ ଜି-୨୩ ବିମାନ ଚଳାଉଥିବାବେଳେ ଏହାର କୋ-ପାଇଲଟ୍‌ ସାଜିଛନ୍ତି ଉଚ୍ଚ ସଦନର ସଦସ୍ୟ ଆନନ୍ଦ ଶର୍ମା।
ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ପଶ୍ଚିମବଙ୍ଗ ସହ ଅନ୍ୟ ୩ ରାଜ୍ୟ କେରଳ, ଆସାମ ଓ ତାମିଲନାଡୁ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ହେବ। କେରଳରେ ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀ ‘ଉତ୍ତର-ଦକ୍ଷିଣ ରାଜନୀତି’ର ପ୍ରଭେଦ ବତାଇ ଦକ୍ଷିଣ ଗଡ଼ ଜଗିଥିବାବେଳେ ତାଙ୍କ ଭଉଣୀ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର-ପୂର୍ବ ଆସାମରେ କରିସ୍ମା ଦେଖାଇବାକୁ ଯାଇ ଆଦିବାସୀଙ୍କ ସହ ପାରମ୍ପରିକ ଝୁମୁର ନୃତ୍ୟ ନାଚିଥିବା ଦେଖିବାକୁ ମିଳିଛି। କଂଗ୍ରେସ କେରଳରେ ବାମପନ୍ଥୀଙ୍କ ସହ ମୁହଁାମୁହଁି ଅବସ୍ଥାରେ ଥିବାବେଳେ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ହଟାଇବା ପାଇଁ ବାମଦଳ ସହ ମିଶି ନିର୍ବାଚନ ଲଢ଼ୁଛି। ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କ ଗଡ଼ରେ ବାମଦଳ ସହ ମେଣ୍ଟ କରିବା ପର୍ଯ୍ୟନ୍ତ କଂଗ୍ରେସରେ କିଛି ଅସୁବିଧା ନ ଥିଲା। କିନ୍ତୁ ଯୁବ ଇସ୍‌ଲାମିକ୍‌ ବିଦ୍ୱାନ ଅବ୍ବାସ ସିଦ୍ଦିକିଙ୍କ ନବଗଠିତ ଇଣ୍ଡିଆନ୍‌ ସେକ୍ୟୁଲାର ଫ୍ରଣ୍ଟ (ଆଇଏସ୍‌ଏଫ୍‌) ସହ ମିଶିି ନିର୍ବାଚନ ଲଢ଼ିବାକୁ ଜି-୨୩ ପ୍ରବଳ ବିରୋଧ କରିଛନ୍ତି। ଦଳ ଭିତରେ ଏହି ପ୍ରସଙ୍ଗରେ ଜୋର୍‌ସୋର ବୟାନବାଜି ଚାଲିଛି। ବରିଷ୍ଠ ନେତା ଆନନ୍ଦ ଶର୍ମା ଓ କଂଗ୍ରେସର ପଶ୍ଚିମବଙ୍ଗ ଶାଖା ସଭାପତି ଅଧୀର ରଞ୍ଜନ ଚୌଧରୀଙ୍କ ମଧ୍ୟରେ ଟୁଇଟର ଓ୍ବାର୍‌ ଦଳୀୟ କଳହକୁ ପଦାରେ ପକାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜି-୨୩ ମୁଖ୍ୟ ଆଜାଦ୍‌ ପ୍ରଶଂସା କରିଛନ୍ତି, ଯାହାକୁ ଗାନ୍ଧୀ ପରିବାର ସପକ୍ଷବାଦୀ ନେତା ଗ୍ରହଣ କରିପାରି ନାହାନ୍ତି। ଜମ୍ମୁରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜାଦ୍‌ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଜି-୨୩ ସଦସ୍ୟ କପିଲ ସିବଲ ଓ ଗାନ୍ଧୀ ସମର୍ଥକ ଅଭିଷେକ ମନୁ ସିଂଘଭୀଙ୍କ ମଧ୍ୟରେ କଥା କଟାକଟି ଦଳ ଭିତରେ ତିକ୍ତତା ବୃଦ୍ଧିର କାରଣ ହୋଇଛି। ମୋଟାମୋଟି ଭାବେ ଚଳିତ ନିର୍ବାଚନରେ ଭାଜପାକୁ ଘେରିବା ପାଇଁ ଥିବା ସମସ୍ତ ପ୍ରସଙ୍ଗକୁ ହାତଛଡ଼ା କରି କଂଗ୍ରେସ ଅସ୍ତ୍ରହୀନ ହୋଇଯାଇଥିବାବେଳେ ସଦ୍ୟ ଅନ୍ତର୍ଦ୍ୱନ୍ଦ୍ୱ ସୋନିଆଙ୍କ ଦଳକୁ ବସ୍ତୁତଃ ଦୁଇଭାଗ କରିଦେଇଛି।
ଅବ୍ବାସ ସିଦ୍ଦିକି ହେଉଛନ୍ତି ପଶ୍ଚିମବଙ୍ଗର ଫୁରଫୁରା ଶରିଫ୍‌ ଦରଘାର ପୀରଜାଦା। ନିଜ କଠୋରପନ୍ଥୀ ବିଚାର ଓ ମହିଳା ବିରୋଧୀ ମନ୍ତବ୍ୟକୁ ନେଇ ଏହି ଯୁବ ନେତା ବିବାଦରେ ରହିଥାଆନ୍ତି। ରାଜ୍ୟରେ ୩୦% ମୁଲସିମ୍‌ ଭୋଟର ଥିବାବେଳେ ସଂଖ୍ୟାଲଘୁଙ୍କ ଉପରେ ସିଦ୍ଦିକିଙ୍କ ମଜଭୁତ ପ୍ରଭାବ ରହିଛି। କୋଲ୍‌କାତାର ବ୍ରିଗେଡ୍‌ ଗ୍ରାଉଣ୍ଡରେ ରବିବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ (ସିପିଆଇଏମ୍‌) ନେତା ସୀତାରାମ ୟେଚୁରୀ ଓ ଅନ୍ୟ ବାମନେତାଙ୍କ ସମେତ ସିଦ୍ଦିକିଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ପିସିସି ସଭାପତି ତଥା ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀ। ଏହାକୁ ନେଇ ଟୁଇଟର୍‌ରେ ଯୁଦ୍ଧ ଆରମ୍ଭ କରିଥିଲେ ଆନନ୍ଦ ଶର୍ମା। ଆଇଏସ୍‌ଏଫ୍‌ ସହ ମେଣ୍ଟ କରିବା କଂଗ୍ରେସର ମୌଳିକ ବିଚାରଧାରାଠାରୁ ଭିନ୍ନ। ସାମ୍ପ୍ରଦାୟିକତା ବିରୋଧରେ ଲଢ଼େଇରେ କଂଗ୍ରେସ ଚୟନାମତ୍କ ହୋଇପାରିବ ନାହିଁ। ଆମକୁ ସବୁ ପ୍ରକାର ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଲଢ଼ିବାକୁ ପଡ଼ିବ। ଆଇଏସ୍‌ଏଫ୍‌କୁ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀରଙ୍କ ସମର୍ଥନ ଲଜ୍ଜାଜନକ ବୋଲି ଆନନ୍ଦ ସମାଲୋଚନା କରିଥିଲେ। ଜି-୨୩କୁ ଜବାବ ଦେବାକୁ ଯାଇ ଅଧୀର କହିଛନ୍ତି, କଂଗ୍ରେସର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମୋଦିଙ୍କ ଭଳି ନେତାଙ୍କୁ ନେଇ ଗର୍ବିତ। ଯେଉଁ ଗଛ ସେମାନଙ୍କୁ ଛାଇ ଦେଉଛି ତାକୁ ନୂ୍ୟନ କରି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବାର ମାନେ କ’ଣ। ଭାଜପାର ବିଷାକ୍ତ ସାମ୍ପ୍ରଦାୟିକତା ବିରୋଧରେ କଂଗ୍ରେସ ଲଢ଼େଇ କରିବାକୁ ବଦ୍ଧପରିକର। ୫ ରାଜ୍ୟରେ କଂଗ୍ରେସର ପ୍ରଚାର କାର୍ଯ୍ୟରେ ଏମାନେ ସାମିଲ ହେବା ପରିବର୍ତ୍ତେ ଦଳକୁ ଟାର୍ଗେଟ କରୁଛନ୍ତି। ଆନନ୍ଦ ଶର୍ମା, ୟୁ ନୋ ୟୋର ଫ୍ୟାକ୍ଟସ୍‌ ବୋଲି ଅଧୀର ଟୁଇଟ୍‌ କରିଛନ୍ତି। ଏସବୁକୁ ନେଇ କଂଗ୍ରେସକୁ ଭାଜପା ଉପହାସ କରୁଥିବାବେଳେ ଆସାମରେ ଜି-୨୩ ଏବଂ ଆଇଏସ୍‌ଏଫ୍‌ ସହ ମେଣ୍ଟ ଉପରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପ୍ରିୟଙ୍କା ଉଚିତ ମଣିନାହାନ୍ତି।
ଏଠାରେ ସ୍ମରଣଯୋଗ୍ୟ ଯେ ଫେବୃୟାରୀ ୯ରେ ଗୁଲାମନବୀ ଆଜାଦ୍‌ଙ୍କୁ ରାଜ୍ୟ ସଭାରୁ ବିଦାୟ ଦେବାବେଳେ ପ୍ରଧାନମନ୍ତ୍ରୀ ତାଙ୍କ ସହ ଅତୀତର ସମ୍ପର୍କକୁ ସ୍ମରଣ କରି କାନ୍ଦି ପକାଇଥିଲେ। ସେତେବେଳେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସହଯୋଗୀ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ମୁଖ୍ୟ ରାମଦାସ ଅଠାଓ୍ବଲେ ଆଜାଦ୍‌ଙ୍କୁ କହିଥିଲେ, ଆପଣଙ୍କୁ କଂଗ୍ରେସ ଆଉ ଥରେ ରାଜ୍ୟ ସଭାକୁ ନ ଆଣିଲେ ଆମେ ପ୍ରତିନିଧିତ୍ୱର ସୁଯୋଗ ଦେବୁ। ଏହାର କିଛି ଦିନ ପରେ ବରିଷ୍ଠ କଂଗ୍ରେସ ନେତା ତଥା ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁର ମୋଦିଙ୍କ ଲୁହକୁ ଛଳନାମତ୍କ ପ୍ରଦର୍ଶନ ବୋଲି ଅଭିହିତ କରିଥିଲେ।

ଲୋଭ ପ୍ରବଳ, ଦକ୍ଷତା ଶୂନ
କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଚର୍ଚ୍ଚାକୁ ଆସିଥିବା ଜି-୨୩ରେ କପିଲ ସିବଲ, ମନୀଷ୍‌ ତିଓ୍ବାରୀ, ରାଜ୍‌ ବବ୍ବର, ଭୂପିନ୍ଦର ସିଂ ହୁଡ଼ା ପ୍ରମୁଖ ନେତା ଅଛନ୍ତି। ଏମାନେ ଜମ୍ମୁ ପରେ ଆଗକୁ ହରିୟାଣାର କୁରୁକ୍ଷେତ୍ରରେ ବୈଠକ କରିବାକୁ ଯାଉଛନ୍ତି। ଏହି ନେତାମାନେ କଂଗ୍ରେସ ଦଳର ନିଷ୍ପତ୍ତିକୁ ଖୋଲାଖୋଲି ସମାଲୋଚନା କରୁଥିବାବେଳେ ଅସନ୍ତୁଷ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ନ କରି ସ୍ଥିତି ସମୀକ୍ଷା କରୁଛନ୍ତି ହାଇକମାଣ୍ଡ। ଯେଉଁମାନେ ଏହି ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ସେମାନେ ସମସ୍ତେ ଉପା ସରକାର ୧ ଓ ୨ ଅମଳରେ ପ୍ରବଳ ଶକ୍ତିଶାଳୀ ମନ୍ତ୍ରୀ ଥିଲେ। କପିଲ ସିବଲ ସୂଚନା ଓ ପ୍ରଯୁକ୍ତିବିଦ୍ୟା, ମନୀଷ ତିଓ୍ବାରୀ ସୂଚନା ଓ ପ୍ରସାରଣ, ଆନନ୍ଦ ଶର୍ମା ବାଣିଜ୍ୟ ମନ୍ତ୍ରଣାଳୟ ସମ୍ଭାଳୁଥିଲେ। ଏମାନେ କ୍ଷମତାରେ ଥିବାବେଳେ ଏଭଳି ପରିସ୍ଥିତି ସୃଷ୍ଟି କରିଥିଲେ ଯେ ଅଧିକାଂଶ ଦଳର ନେତା ନିଜ ଲୋକ ସଭା ଆସନରୁ ଜିତିବାରେ ଅକ୍ଷମ ହୋଇଥିଲେ। ପୁନର୍ବାର କ୍ଷମତାକୁ ଆସିବା ଆଶା ମଉଳିଯାଇଥିବାରୁ ଏବେ ଭାଜପା ଆଡ଼କୁ ଢଳୁଥିବା କୁହାଯାଉଛି।
ଆଉ ଗୋଟିଏ କଥା ଦେଖିଲେ ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ରାଜ୍ୟ ସଭାର। ମନୀଷ ତିଓ୍ବାରୀଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଲୋକ ସଭାରୁ ପ୍ରତିନିଧିତ୍ୱ କରୁନାହାନ୍ତି। ଏହି ନେତାମାନେ ନିଜ ଦଳର ବିଚାରଧାରାରୁ ଓହରିଯାଇଥିବାରୁ ଭିନ୍ନ ପନ୍ଥା ଆପଣାଉଛନ୍ତି। ଏମାନେ ହିଁ ଗାନ୍ଧୀ ପରିବାରକୁ ଏତେ ତଳ ସ୍ତରକୁ ଆଣିଛନ୍ତି। ଯଦି ଦଳ ଗନ୍ଧାଉଛି ତେବେ କଂଗ୍ରେସରୁ ଏଯାଏ ଏତେ ସୁବିଧା କାହିଁକି ନେଉଥିଲେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କୌତୂହଳର ବିଷୟ ହେଉଛି ନିର୍ବାଚନ ଜିତିବା ବେଳକୁ ଏହି ବ୍ୟକ୍ତିମାନେ ନିଜ ଶକ୍ତିରେ ଆସନ ହାସଲ କରିଥିବା ଦାବି କରନ୍ତି। ନିଜେ ହାରିଗଲା ବେଳକୁ ଦଳୀୟ ନେତୃତ୍ୱକୁ ଦୋଷ ଦିଅନ୍ତି। ଲୁଟିଏନ୍ସ ଦିଲ୍ଲୀରେ ସରକାରୀ ଘରେ ଅନେକ ଦଶନ୍ଧି ଧରି ରହିଆସିଥିବା ଏହି ରାଜନୈତିକ ବ୍ୟକ୍ତିମାନେ ଦୀର୍ଘକାଳ କ୍ଷମତାରେ ରହିବା ସତ୍ତ୍ୱେ ସେହି ବାସଭବନର ଯୋଗ୍ୟ ବାସିନ୍ଦା ହୋଇପାରି ନାହାନ୍ତି। ଏମାନଙ୍କ ଲୋଭ ପ୍ରବଳ କିନ୍ତୁ ଦକ୍ଷତା ଶୂନ୍ୟ, ତାହା ହାବଭାବରୁ ଜଣାପଡ଼ୁଛି। ରାହୁଲଙ୍କ ବାଚଳାମି ଓ ଦୁର୍ବଳ ନେତୃତ୍ୱ ମାଧ୍ୟମରେ ପୁନର୍ବାର ମନ୍ତ୍ରୀ ହୋଇପାରିବେ ବୋଲି ବିଶ୍ୱାସ ହରାଇ ସାରିଛନ୍ତି। ନିଜ ଦଳ ପାଇଁ କିଛି କରି ନ ଥିବା ଏହି ବ୍ୟକ୍ତିମାନେ ନିଜ ଲାଗି ମଧ୍ୟ ରାଜନୈତିକ ଭିତ୍ତିଭୂମି ବା ବେସ୍‌ ତିଆରି କରିପାରି ନାହାନ୍ତି। ଉଦାହରଣ ଭାବେ କପିଲ ସିବଲଙ୍କ କଥାକୁ ନିଆଯାଇପାରେ। ସିବଲ ଦିଲ୍ଲୀର ଚାନ୍ଦିନୀଚୌକ ଲୋକ ସଭା ଆସନରୁ ନିଜ ଦମ୍‌ରେ ପୁଣି ଥରେ ଜିତିପାରିବେ କି ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ ହେଉଛି। ୟୁଜର୍ସ ପଚାରୁଛନ୍ତି, ଏମାନେ କାହିଁକି ଦଳ ଛାଡ଼ୁନାହାନ୍ତି? ବହିଷ୍କୃତ ହେଲେ ହିରୋ ସାଜି ଅନୁକମ୍ପା ସାଉଁଟିବା ପାଇଁ ଏମାନେ ଚାହୁଁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri