ଗଡ଼ ବଞ୍ଚାଇବାକୁ କଂଗ୍ରେସର ପ୍ରୟାସ

କୋଣାର୍କ,୧୨ା୨(ଡି.ଏନ୍‌.ଏ.): କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ନିର୍ବାଚନ ମଣ୍ଡଳୀ ଅବଦାନ ପଞ୍ଚାୟତରେ ରାଜନୀତିର ଉଷ୍ମତା ପରିଲକ୍ଷିତ ହେଲାଣି। କଂଗ୍ରେସର ଗଡ଼ କୁହାଯାଉଥିବା ଅବଦାନ ପଞ୍ଚାୟତରେ ରାଜ୍ୟ ପିସିସିର ସାଧାରଣ ସମ୍ପାଦକ ବିଶ୍ୱଭୂଷଣ ଦାସଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ଶୁକ୍ରବାର ହୋଇଥିଲା। ଏହି ଶୋଭାଯାତ୍ରା ଇନ୍ଦିରା ବଜାର ପାର୍ଟି କାର୍ଯ୍ୟାଳୟଠାରୁ ବାହାରିଥିବା ବେଳେ ୮ନମ୍ବର ଜୋନର ଜିଲା ପରିଷଦ ପ୍ରାର୍ଥୀ କପିଳ ମିଶ୍ର ଓ କଂଗ୍ରେସ ସମର୍ଥିତ ପ୍ରାର୍ଥତ୍ନୀ ଭାବେ ଦୀପ୍ତିରେଖା ସ୍ବାଇଁ ସରପଞ୍ଚ ପଦବୀ ପାଇଁ ରାଜନୀତି ମଇଦାନରେ ଘମାଘୋଟ ପ୍ରଚାର କରୁଥିବା ବେଳେ ସମିତି ସଭ୍ୟା ପ୍ରାର୍ଥତ୍ନୀ ଭାବେ ଜ୍ୟୋତିପ୍ରିୟା ପାଢ଼ୀ ମଧ୍ୟ ନିଜ ପଞ୍ଚାୟତରେ ଲଢେଇ ଜାରି ରଖିଛନ୍ତି। ସମସ୍ତ ପ୍ରାର୍ଥୀ ଘର ଘର ବୁଲି ଭୋଟରଙ୍କୁ ବୁଝାଇ ନିଜ ସପକ୍ଷରେ କରିବା ସହ କଂଗ୍ରେସ ଗଡ଼କୁ ପୁଣି ଜିତାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏ ନେଇ ଅବଦାନ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଚିତ୍ରାନନ୍ଦ ଦାଶ କହିଛନ୍ତି, ଚଳିତ ନିର୍ବାଚନରେ ଏକ ଆଦର୍ଶ ପଞ୍ଚାୟତ ଗଢ଼ି ତୋଳିବା ପାଇଁ ଦଳ ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ବିଜେଡି ଓ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳୁଛି।