Categories: ଜାତୀୟ

ଅସନ୍ତୁଷ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବ କଂଗ୍ରେସ: ଡିସେମ୍ବର ୧୯ରେ ନେତାଙ୍କୁ ଭେଟିପାରନ୍ତି ସୋନିଆ

ନୂଆଦିଲ୍ଲୀ,୧୭।୧୨: କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ନେଇ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଅସନ୍ତୁଷ୍ଟଙ୍କୁ ଚୁପ କରାଇବା ପାଇଁ କଂଗ୍ରେସ ପକ୍ଷରୁ ନୂଆ ଯୋଜନା କରାଯାଇଛି। ଡିସେମ୍ବର ୧୯ରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେତେକ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କେତେକ ରାଜ୍ୟ ପ୍ରଭାରୀଙ୍କୁ ବଦଳ କରାଯାଇ ସେମାନଙ୍କ ସ୍ଥାନରେ ନୂଆ ପ୍ରଭାରୀ ନିଯୁକ୍ତ କରାଯିବାର ଯୋଜନା ରହିଥିବା କୁହାଯାଉଛି। ନେତୃତ୍ୱ ପରିବର୍ତ୍ତନ ନେଇ ଦଳର ୨୩ ଜଣ ବରିଷ୍ଠ ନେତା ଅଧ୍ୟକ୍ଷାଙ୍କୁ ଚିଠି ଲେଖିଥିଲେ। ଏବେ ସେମାନଙ୍କ ସହିତ ହାଇକମାଣ୍ଡ ଆଲୋଚନା କରି ସମାଧାନର ପଥ ବାହାର କରିବେ ବୋଲି ଚର୍ଚ୍ଚା ହେଉଛି। କିଛି ଦିନ ତଳେ ସୋନିଆ କମଳନାଥଙ୍କୁ ଭେଟି ମଧ୍ୟପ୍ରଦେଶର ଅସନ୍ତୁଷ୍ଟ ନେତାଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଏବେ ନିଜେ ସୋନିଆ ସେଭଳି କରିବାକୁ ଯାଉଛନ୍ତି। ଦଳରେ ରାହୁଲ ଗାନ୍ଧୀଙ୍କ ପ୍ରତି ମଧ୍ୟ ବହୁ ନେତା ଆକ୍ଷେପ କରିଥିଲେ। ନେତାଙ୍କ ମନରେ ଥିବା କ୍ଷୋଭ ଦୂର ପାଇଁ ସୋନିଆ ଏଭଳି ଯୋଜନା କରିଥିବା ଚର୍ଚ୍ଚା ହେଉଛି।

Share