ଭୁବନେଶ୍ୱର, ୪।୧(ସୁନିତ୍ ମିଶ୍ର): କେନ୍ଦ୍ର ସରକାର ଏମ୍ଜିଏନ୍ଆର୍ଇଜିଏସ୍ର ନାମ ବଦଳାଇ ବିଭି-ଜି ରାମ ଜି ରଖିବା କେବଳ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଉପରେ ଆକ୍ରମଣ ନୁହେଁ, ବରଂ ଦେଶର ବହୁ କୋଟି ଗରିବ, ଖଟିଖିଆ, ଶ୍ରମିକଙ୍କ ରୋଟି ଉପରେ ଆକ୍ରମଣ। ଗଡ୍ସେଙ୍କ ଅନୁଗାମୀ ଦଳ ବର୍ତ୍ତମାନ ମହାତ୍ମା ଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସକରିବାକୁ ଚାହୁଁଛି। ଜି ରାମ ଜି ଯୋଜନାରେ ପ୍ରାୟ ୧୨ କୋଟି ଶ୍ରମିକ ଏବଂ ପରିବାରକୁ ଯଦି ମିଶାଯାଏ ତେବେ ୫୦ କୋଟି ବ୍ୟକ୍ତି ଏହାଦ୍ୱାରା ପ୍ରଭାବିତ ହେବେ। ଆସନ୍ତା ୮ରୁ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ଏହା ବିରୋଧରେ ପିସିସି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଶନିବାର ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟଓ୍ୱୋଲା କହିଛନ୍ତି।
ଭବନଠାରେ ସୂର୍ଯ୍ୟଓ୍ୱୋଲା କହିଛନ୍ତି, ଏହି ଯୋଜନାରେ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରୁଥିଲା। କିନ୍ତୁ ନୂଆ ଯୋଜନାରେ କେନ୍ଦ୍ର ୬୦% ଓ ରାଜ୍ୟ ୪୦% ଖର୍ଚ୍ଚ ବହନ କରିବାର ପ୍ରାବଧାନ ରଖିଛନ୍ତି। କେନ୍ଦ୍ର ସରକାର ଜିଏସ୍ଟି ଓ ସେସ୍ ଆଦାୟ କରିବା ପରେ ରାଜ୍ୟ ସରକାର କେଉଁଠାରୁ ଟଙ୍କା ପାଇବେ ଏହା ସବୁଠାରୁ ବଡ଼ ପ୍ରଶ୍ନ। ମନରେଗା ଯୋଜନାକୁ କେନ୍ଦ୍ର ସରକାର ହତ୍ୟା କରିଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଏମ୍ଜିଏନ୍ଆର୍ଇଜିଏସ୍କୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଓଡ଼ିଶାର କାର୍ଯ୍ୟାଳୟକୁ ଘେରାଉ ସହ ପ୍ରତ୍ୟେକ ଜିଲାରେ ପ୍ରତିବାଦ କରାଯାଇଥିଲା। ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି, କଂଗ୍ରେସ ପ୍ରତି ରାଜ୍ୟରେ ଆସନ୍ତା ୮ରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ କରିବ। ୧୦ରେ ସବୁ ଜିଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ, ୧୧ରେ ଏକଦିବସୀୟ ଉପବାସ ଓ ପ୍ରତୀକାତ୍ମକ ପ୍ରତିବାଦ କରିବ। ୧୨ରୁ ୨୯ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ଓ ବିଧାନସଭା ସ୍ତରୀୟ ବୈଠକ ଏବଂ ପ୍ରଚାରପତ୍ର ବଣ୍ଟନ କରିବ। ୩୦ରେ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଅବସରରେ ପ୍ରତ୍ୟେକ ୱାର୍ଡରେ ଶାନ୍ତିପୂର୍ଣ୍ଣ ଧାରଣା, ୩୧ରୁ ଫେବୃଆରୀ ୬ ଯାଏ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲାସ୍ତରୀୟ ଏମ୍ଜିଏନ୍ଆର୍ଇଜିଏସ୍ ବଞ୍ଚାଅ ଧାରଣା ଓ ଭିବି ରାମ ଜି ଆଇନ ପ୍ରତ୍ୟାହାର ନିମନ୍ତେ ସ୍ମାରକପତ୍ର ପ୍ରଦାନ କରାଯିବ। ୭ରୁ ୧୫ ପର୍ଯ୍ୟନ୍ତ ବିଧାନସଭା ଘେରାଉ କରାଯିବ। ୧୬ରୁ ୨୫ ଯାଏଁ ଏଆଇସିସି ପକ୍ଷରୁ ରାଜ୍ୟର ୪ଟି ଜୋନ୍ରେ ଜୋନ୍ସ୍ତରୀୟ ରାଲି ହେବ ବୋଲି ସେ କହିଛନ୍ତି।


