କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏପରିକି ଶ୍ମଶାନ ଯିବାକୁ ହେଲେ ମୃତଦେହ ଧରି କେନାଲ ପାରି ହେବାକୁ ପଡୁଛି। ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ସୋମବାର କଂଗ୍ରେସର ଏକ ଟିମ୍‌ ଗଡ଼ହୁମାସ୍ଥିତ ବାଉଁଶିଆପଡା ଗାଁରେ ପହଞ୍ଚି ସ୍ଥତି ଅନୁଧ୍ୟାନ କରିଛି।

ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାଗିରଥୀ ବେହେରା, ଯୁବନେତା ଜ୍ଞାନରଞ୍ଜନ ପଣ୍ଡା ଗ୍ରାମବାସୀଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏନେଇ ସେମାନେ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

କଂଗ୍ରେସ ଟିମ୍‌ ଗସ୍ତ ବେଳେ ସରପଞ୍ଚ ପ୍ରତିନିଧିଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବାଉଁଶିଆପଡା ଗ୍ରାମର ଉଦିୟ ନାୟକଙ୍କ ମୃତଦେହ ଶ୍ମଶାନ ନେଲାବେଳେ ଗ୍ରାମବାସୀ କେନାଲ ପାର ହୋଇ ମୃତଦେହ ନେଇ ଦାହ କରିଥିଲେ।

Share