ନୂଆଦିଲ୍ଲୀ,୧୪ା୮: ନିର୍ବାଚନ କମିଶନ (ଇସି)ଙ୍କ ଦ୍ୱାରା ଭୋଟ ଚୋରି କରାଯାଉଥିବା ଅଭିଯୋଗ ଆଣି କଂଗ୍ରେସ ବୁଧବାର ଭୋଟ ଜାଲିଆତିର ଆଉ ଏକ ନୂଆ ଭିଡିଓ ଦେଖାଇଛି। ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଭାଜପା ହାତମୁଠାରୁ ଛଡ଼ାଇ ଆଣିବା ପାଇଁ ଲୋକେ ସ୍ବର ଉତ୍ତୋଳନ କରିବା ଉଚିତ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଆହ୍ବାନ ଦେଇଛନ୍ତି। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ Xରେ ୧ ମିନିଟ୍ ବିଶିଷ୍ଟ ଏକ ଭିଡିଓ ଜାରି କରି କହିଛନ୍ତି, ଆପଣଙ୍କ ଭୋଟ ଚୋରି ହେଉଛି ଆପଣଙ୍କ ଅଧିକାରର ଚୋରି, ଆପଣଙ୍କ ପରିଚୟ ଚୋରି। ଅଗଷ୍ଟ ୧୭ରେ ବିହାର ସାରା ରାହୁଲଙ୍କ ସମେତ ଇଣ୍ଡିଆ ବ୍ଲକ୍ ନେତାମାନେ ସରକାର ଓ ନିର୍ବାଚନ କମିଶନଙ୍କ ବିରୋଧରେ ‘ଭୋଟ ଅଧିକାର ଯାତ୍ରା’ କରିବାକୁ ସ୍ଥିର ହୋଇଛି। ଅନ୍ୟପକ୍ଷେ ରାହୁଲଙ୍କ ମା’ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭାରତର ନାଗରିକତ୍ୱ ହାସଲ କରିବା ପୂର୍ବରୁ ଭୋଟର ହୋଇସାରିଥିଲେ ବୋଲି ଭାଜପା ଅଭିଯୋଗ ଆଣି ଏହାକୁ ଦେଶର ନିର୍ବାଚନୀ ଆଇନର ଉଲ୍ଲଂଘନ ବୋଲି କହିଛି। ଭାଜପା ଆଇଟି ବିଭାଗ ମୁଖ୍ୟ ଅମିତ୍ ମାଲବ୍ୟ ସୋସିଆଲ ମିଡିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆବାସିକ କାର୍ଯ୍ୟାଳୟର ଭୋଟର ତାଲିକାର ଏକ କପିକୁ ଶେୟାର କରି କହିଛନ୍ତି, ୧୯୮୦ ଜାନୁଆରୀ ୧ରେ ଭୋଟର ତାଲିକା ସଂଶୋଧନ ବେଳେ ସୋନିଆଙ୍କ ନାମକୁ ସେଥିରେ ଯୋଡ଼ାଯାଇଥିଲା। ଇଟାଲୀ ନାଗରିକ ସୋନିଆ ୧୯୮୩ରେ ଭାରତୀୟ ନାଗରିକତ୍ୱ ପାଇଥିବାବେଳେ ଏହାର ୩ ବର୍ଷ ପୂର୍ବରୁ ଭାରତର ଭୋଟର କିପରି ହେଲେ ବୋଲି ମାଲବ୍ୟ ପ୍ରଶ୍ନ କରିଛନ୍ତି।

