ଫୁଲବାଣୀରେ କଂଗ୍ରେସର ସତ୍ୟାଗ୍ରହ

ଫୁଲବାଣୀ ଅଫିସ, ୨୭।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଫୁଲବାଣୀ ଜିଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି  । ସୋମବାର ଦଳ ପକ୍ଷରୁ ଜିଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରରେ ସତ୍ୟାଗ୍ରହ କରାଯାଇଛି । ଫୁଲବାଣୀ ବିଧାନସଭା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସତ୍ୟାଗ୍ରହ ଚାଲିଥିଲା  । କଂଗ୍ରେସ ନେତା ଓ କର୍ମୀମାନେ ଅଗ୍ନିପଥ ଯୋଜନାକୁ ବିରୋଧ କରିଥିଲେ। ସରକାର ବର୍ଷକୁ ୨ କୋଟି ଚାକିରି ପ୍ରଲୋଭନ ଦେଖାଇ କ୍ଷମତାକୁ ଆସିଥିଲେ। ଏବେ ଚାକିରି ଦେବା ଆଳରେ ଅଗ୍ନିପଥକୁ ୪ ବର୍ଷିଆ ନିଯୁକ୍ତି କରିଛନ୍ତି। ସେନାର ବଡ ପଦବୀରେ ୪ ବର୍ଷିୟା ନିଯୁକ୍ତି ଦିଆଯିବ କି ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା। ଅଗ୍ନିପଥରେ ଯୁବକମାନଙ୍କୁ ସ୍ଥାୟୀ ନିଯୁକ୍ତି ନ ଥିବାରୁ ଏହି ଯୋଜନାକୁ ଫେରାଇ ନେବା ପାଇଁ ଦଳୀୟ ନେତାମାନେ ପ୍ରକାଶ କରିଥିଲେ ା ନଚେତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । କଂଗ୍ରେସ ଜିଲା ସଭାପତି ଅନାମ କୁମାର ନାୟକ, ଯୁବ ସଭାପତି ବସନ୍ତ କୁମାର ପାଢ଼ୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ଶ୍ରମିକ ନେତା ଘନ କୁମାର ଶବର ପ୍ରମୁଖ ସତ୍ୟାଗ୍ରହରେ ସାମିଲ ଥିଲେ ।