Categories: ଜାତୀୟ

‘ମହିଳାଙ୍କ କଥା ଉଠିଲେ ତାଲିବାନ୍‌ ଓ ଆର୍‌ଏସ୍‌ଏସ୍‌ ସମାନ’

ଭୋପାଳ,୧୧।୯: ‘ମହିଳାମାନେ ଗୃହିଣୀ ହୋଇ ରହିବା ଉଚିତ୍‌ ଓ ପୁରୁଷମାନେ ଅନ୍ନଦାତା ହେବା ଉଚିତ’। ୨୦୧୩ରେ ଏକ ନ୍ୟୁଜ ଚ୍ୟାନେଲରେ ଏଭଳି ବୟାନ ଦେଇଥିଲେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ। ତାଙ୍କର ଏଭଳି ମନ୍ତବ୍ୟକୁ କେନ୍ଦ୍ର କରି ଆର୍‌ଏସ୍‌ଏସ୍‌କୁ ତାଲିବାନ ସହ ତୁଳନା କରିଛନ୍ତି କଂଗ୍ରେସର ରାଜ୍ୟ ସଭା ଏମ୍‌ପି ଦିଗବିଜୟ ସିଂ।

ଶନିବାର ସକାଳେ ବରିଷ୍ଠ କଂଗ୍ରେସ ନେତା ଟୁଇଟ୍‌ କରି ଲେଖିଛନ୍ତି, କାର୍ଯ୍ୟରତ ମହିଳାଙ୍କ ପ୍ରତି ତାଲିବାନ୍‌ ଓ ଆର୍‌ଏସ୍‌ଏସ୍‌ର ମତ ସମାନ କି? ଯେଉଁ ପର୍ଯ୍ୟନ୍ତ ମୋହନ ଭାଗବତ ଓ ତାଲିବାନ୍‌ ସେମାନଙ୍କ ଦୃଷ୍ଟି କୋଣ ନ ବଦଳାଇଛନ୍ତି, ସେପର୍ଯ୍ୟନ୍ତ ଦୁଇ ସଂଗଠନର ଚିନ୍ତାଧାରା ସମାନ।

କଂଗ୍ରେସର ବରିଷ୍ଠ ନେତା ଆଉ ଏକ ଟୁଇଟ୍‌ରେ ଏକ ନ୍ୟୁଜ କ୍ଲିପ ଯୋଡ଼ିଛନ୍ତି, ଯେଉଁଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହୁଛନ୍ତି, ‘ମହିଳାମାନେ ମୁକ୍ତ କିମ୍ବା ସ୍ବାଧୀନ ରହିବାକୁ ସକ୍ଷମ ନୁହନ୍ତି। ସେମାନଙ୍କ ଶକ୍ତିକୁ ନିୟନ୍ତ୍ରଣ କରିବା ଉଚିତ୍‌ । ନ ହେଲେ ଏହା ମୂଲ୍ୟହୀନ ଓ ବିନାଶକାରୀ ହୋଇଯିବ’। ଏହା ଯୋଗୀ କି? ବୋଲି ଟୁଇଟ୍‌ କରିଥିଲେ।

ଏହା ଉପରେ ପ୍ରତିକ୍ରିୟା ରଖି ଭାଜପାର ରାଜ୍ୟ ସଭାପତି ଭି ଡି ଶର୍ମା କହିଛନ୍ତି, ଦିଗବିଜୟ ସିଂ ଓ କଂଗ୍ରେସ ନେତୃତ୍ୱ ତାଲିବାନ୍‌ର ସମର୍ଥକ। ଦିଗବିଜୟ ମୋହନଚାନ୍ଦ ଶର୍ମାଙ୍କ ଏନକାଉଣ୍ଟର (ବାଟଲା ହାଉସ୍‌)କୁ ମିଛ କହିଥିଲେ। ଏପରି କି ସେ ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଆର୍‌ଏସ୍‌ଏସ୍‌ ବିଶ୍ୱର ସବୁଠୁ ବଡ଼ ସାମାଜିକ ସଂଗଠନ ଓ ଆମକୁ ଦିଗବିଜୟଙ୍କ ଠାରୁ ପ୍ରମାଣପତ୍ର ଦରକାର ନାହିଁ।

Share