ନୂଆପଡ଼ା,୧୩ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ରନ୍ଧନ ଗ୍ୟାସକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଶୁକ୍ରବାର ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝିଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଏକତା ଛକଠାରୁ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଗ୍ୟାସ୍ ସିଲିଣ୍ଡର ରଖି କାଠଚୁଲିରେ ଚା’ ତିଆରି କରି ପଥିକ ଓ ଯାନବାହାନ ଅଟକାଇ ଯାତ୍ରୀଙ୍କୁ ଚା’ ଦେଇଥିଲେ।
ଏପରିକି ମୁଖ୍ୟ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ। ଦୀର୍ଘ ୩ ଘଣ୍ଟା ପରେ ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ କଂଗ୍ରେସ କମିଟି ପକ୍ଷରୁ ୭ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ପ୍ରମୁଖ ଦାବି ମଧ୍ୟରେ ଏଲ୍ପିଜି ସିଲିଣ୍ଡର ଓ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ରୋକିବା, ଗଚ୍ଛିତ ଓ କୃତ୍ରିମ ଅଭାବ ଉପରେ କଡା ନଜର ରଖିବା, ସ୍ବତନ୍ତ୍ର ଯାଞ୍ଚ କମିଟି ଗଠନ, ଖାଦ୍ୟସାମଗ୍ରୀ ମୂଲ୍ୟ ସ୍ଥିର ରଖିବା ପାଇଁ ପଦକ୍ଷେପ, ଏଲ୍ପିଜି ସିଲିଣ୍ଡର ଉପଲବ୍ଧତା ଓ ଯୋଗାଣ, ଛୋଟ ହୋଟେଲ, ରେଷ୍ଟୁରାଣ୍ଟକୁ ବାଣିଜି୍ୟକ ଏଲ୍ପିଜି ସିଲିଣ୍ଡର ଯୋଗାଣ ନିଶ୍ଚିତ କରିବା ଆଦି ଅନ୍ୟତମ।
ଏହିସବୁ ଦାବି ଉପରେ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି। ଏହି ସମୟରେ ଜିଲା ପରିଷଦ ସଭ୍ୟ ଭରତ ଲାଲ ରାଉତ, ଜିଲା ସାଧାରଣ ସମ୍ପାଦକ ସୁଧିର ମିଶ୍ର, ଗରିବସେନା ଜିଲା ଆବାହକ ରବି ମଙ୍ଗରାଜ, ବିରଞ୍ଚତ୍ ବାଗ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲ।

