Categories: ଜାତୀୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ସୋନିଆ

ନୂଆଦିଲ୍ଲୀ,୨୨।୭: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏନଡିଏ ପ୍ରାର୍ଥୀ ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେ ଖୁବ୍‌ଶୀଘ୍ର ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର ଆଶା ପ୍ରକାଶ କରିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ଭାରତର ୧୫ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା।
ଦ୍ରୌପଦୀ ମୁର୍ମୁଙ୍କୁ ୨୮୨୪ ଜଣ ଏମ୍‌ପି ଓ ବିଧାୟକଙ୍କ ଭୋଟ ମିଳିଛି। ଏହାର ମୂଲ୍ୟ ୬,୭୬,୮୦୩। ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କ ଭୋଟ ମୂଲ୍ୟ ୫,୨୮, ୪୯୧ ହେବାର ଆବଶ୍ୟକ ଥିଲା। ହେଲେ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୬ ଲକ୍ଷରୁ ଅଧିକ।
ସେହିପରି ଯଶୱନ୍ତ ସିହ୍ନା ୧୮୭୭ ଖଣ୍ଡ ଭୋଟ ପାଇଛନ୍ତି। ଏହାର ମୂଲ୍ୟ ୩,୮୦,୧୭୭। ମୋଟ ୪୭୫୪ ଭୋଟ ରାଷ୍ଟ୍ରପତି ନିର୍ବାଚନରେ ପଡିଥିଲା। ଏହା ମଧ୍ୟରୁ ୪୭୦୧ ବୈଧ ଭୋଟ ହୋଇଥିବା ବେଳେ ୫୩ ଖଣ୍ଡ ଭୋଟ ନାକଚ ହୋଇ ଯାଇଛି। ଏହା ମଧ୍ୟରେ ୧୫ ଜଣ ଏମ୍‌ପିଙ୍କ ଭୋଟ ମଧ୍ୟ ରହିଛି।

Share