Categories: ଜାତୀୟ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ଗେହଲଟ, ସୋନିଆଙ୍କୁ ମାଗିଲେ କ୍ଷମା

ନୂଆଦିଲ୍ଲୀ,୨୯।୯: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଗୁରୁବାର ସ୍ପଷ୍ଟ କରିଛନ୍ତି। ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
ଗେହଲଟ କହିଛନ୍ତି,ଗତ ଦିନର ଘଟଣା ଆମ ସମସ୍ତଙ୍କୁ ଥରାଇ ଦେଇଥିଲା। ଏହି ବାର୍ତ୍ତା ସମଗ୍ର ଦେଶକୁ ଯାଇଛି ଯେ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଜାରି ରଖିବାକୁ ଚାହୁଁଛି। ମୁଁ ସୋନିଆ ଗାନ୍ଧୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି।  ଗତ ୫୦ ବର୍ଷ ଧରି କଂଗ୍ରେସ ପାଇଁ ବିଶ୍ୱସ୍ତ ଭାବରେ କାର୍ଯ୍ୟ କଲି, ସୋନିଆ ଗାନ୍ଧୀଙ୍କ ଆଶୀର୍ବାଦରେ ମୁଁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲି।
ଆଗକୁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ କି ପ୍ରସଙ୍ଗରେ ଗେହଲଟ କହିଛନ୍ତି, ଏହି ନିଷ୍ପତ୍ତି  କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନେବେ। ଏବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଶଶି ଥରୁର ଏବଂ ଦିଗ୍‌ବିଜୟ ସିଂଙ୍କ ମଧ୍ୟରେ ମଧ୍ୟରେ ପ୍ରତିଯୋଗିତା ହେବ।
ସୂଚନାଯୋଗ୍ୟ, ଗାନ୍ଧୀ ପରିବାରର ସମର୍ଥନରେ ଅଶୋକ ଗେହଲଟ ଅଧ୍ୟକ୍ଷ ନିର୍ବାଚନ ଲଢି ଜିତିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଗେହଲଟ କ୍ୟାମ୍ପ୍‌ର ୮୨ ଜଣ ବିଧାୟକ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ବିରୋଧରେ ଇସ୍ତଫା ଦେଇଥିଲେ। ସେବେଠାରୁ ସବୁ ଓଲଟପାଲଟ ହୋଇଥିଲା। ଗେହଲଟଙ୍କଠାରୁ ଏପରି ଆଶା କରାଯାଉ ନ ଥିଲା ବୋଲି ଖୋଦ ସୋନିଆ ଗାନ୍ଧୀ କହିଥିଲେ।

Share