Categories: ଜାତୀୟ

ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ,୨୯।୮ (ପି.ଟି.) : ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଆଗାମୀ ଅକ୍ଟୋବର ୧୭ରେ କରିବା ପାଇଁ ରବିବାର ଦଳ ପକ୍ଷରୁ ଘୋଷଣା କରାଯାଇଛି। ଦୁଇଦିନ ପରେ ଅର୍ଥାତ୍‌ ଅକ୍ଟୋବର ୧୯ରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ଲାଗି ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ସେପ୍ଟେମ୍ବର ୨୪ରୁ ୩୦ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ ବୋଲି ଦଳର କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ କହିଛନ୍ତି।

ରବିବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁସି)ର ଅନ୍‌ଲାଇନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଗତ ଶୁକ୍ରବାର ଦଳ ଛାଡ଼ିଥିଲେ। ଦଳରେ ବିଚାରବିମର୍ଶ ବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ୱଂସ ପାଇଁ ସେ ତାଙ୍କ ଇସ୍ତଫାପତ୍ରରେ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଥିଲେ। ଶନିବାର ଆଜାଦଙ୍କ ଘରେ ଅସନ୍ତୁଷ୍ଟ ଜି-୨୩ ନେତାମାନେ ଏକାଠି ହୋଇଥିବାବେଳେ ରବିବାର ସିଡବ୍ଲ୍ୟୁସି ବୈଠକ ବସି ଦଳରେ ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ୨୦୦୦ ନଭେମ୍ବର ପରେ କଂଗ୍ରେସରେ ଏହା ପ୍ରଥମ ଅଧ୍ୟକ୍ଷ ନିର୍ବାଚନ। ବଂଶବାଦ ରାଜନୀତି ଏବଂ ଗାନ୍ଧୀ ପରିବାର ନିୟନ୍ତ୍ରଣରେ ଦେଶର ସର୍ବପୁରାତନ ରହିବାକୁ ନେଇ ଭାଜପା ବାରମ୍ବାର ସମାଲୋଚନା କରିବା ସହ ଦଳୀୟ ଅସନ୍ତୋଷ ପରେ ସାଂଗଠନିକ ନିର୍ବାଚନ ପାଇଁ ସିଡବ୍ଲ୍ୟୁସି ନିଷ୍ପତ୍ତି ନେଇଛି। ରାହୁଲ ଗାନ୍ଧୀ ୨୦୧୭ରୁ ୨୦୧୯ ଦୁଇବର୍ଷ କଂଗ୍ରେସର ମଙ୍ଗ ସମ୍ଭାଳିଥିଲେ। ଏହାକୁ ବାଦ୍‌ ଦେଲେ ୧୯୯୮ରୁ ଏପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷ ରହିଆସିଛନ୍ତି।

Share