‘ଦି କେରଲା ଷ୍ଟୋରି’ ପ୍ରସାରଣକୁ କଂଗ୍ରେସର ବିରୋଧ

ଥିରୁଭାନନ୍ଥପୁରମ୍‌,୬ା୪: ବିବାଦୀୟ ଚଳଚ୍ଚିତ୍ର ‘ଦି କେରଲା ଷ୍ଟୋରି’ ଦୂରଦର୍ଶନରେ ପ୍ରସାରଣ ଲାଗି ନିଷ୍ପତ୍ତି ହୋଇଥିବାରୁ ଏହା ବିରୋଧରେ କେରଳର କଂଗ୍ରେସ ପାର୍ଟି ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଦ୍ୱାରସ୍ଥ ହୋଇଛି। ଊକ୍ତ ଚଳଚ୍ଚିତ୍ର ପ୍ରସାରଣ ବନ୍ଦ ରଖିବା ନିମନ୍ତେ ଦୂରଦର୍ଶନକୁ ନିର୍ଦ୍ଦେଶ ଦେବା ପାଇଁ କେରଳ ବିଧାନସଭାର ବିରୋଧୀ ଦଳ ନେତା ଭି.ଡି. ସାଥୀସାନ୍‌ ଇସିଆଇକୁ ପତ୍ର ଲେଖିଛନ୍ତି। ନିର୍ବାଚନୀ ଫାଇଦା ପାଇଁ ଧର୍ମ ଆଧାରରେ ସମାଜକୁ ଭାଗ ଭାଗ କରିବା ଲାଗି ଭାଜପାର ଏହା ଏକ ଉଦ୍ଦେଶ୍ୟମୂଳକ ଉଦ୍ୟମ ବୋଲି କଂଗ୍ରେସ ଅଭିଯୋଗ କରିଛି। ଶୁକ୍ରବାର ଦୂରଦର୍ଶନରେ ‘ଦି କେରଲା ଷ୍ଟୋରି’ ପ୍ରସାରଣ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ଏହାକୁ କେରଳର ଉଭୟ ଶାସକ ଦଳ ସିପିଆଇ(ଏମ୍‌) ଏବଂ ବିରୋଧୀ କଂଗ୍ରେସ ଦୃଢ଼ ପ୍ରତିବାଦ କରିଛନ୍ତି। ଦି କେରଲା ଷ୍ଟୋରି ଏକ ପ୍ରଚାରସର୍ବସ୍ବ ଚଳଚ୍ଚିତ୍ର, ଯାହା ମିଛ ପ୍ରତିଶ୍ରୁତି ଉପରେ ଆଧାରିତ। ଉକ୍ତ ଚଳଚ୍ଚିତ୍ର ଜରିଆରେ କେରଳ ଜନସାଧାରଣଙ୍କର ଏକ ମଳିନ ଛବି ଉପସ୍ଥାପନ କରାଯାଇଥିବା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି।

Share