Categories: ଜାତୀୟ

ଇଣ୍ଡିଆ ମେଣ୍ଟରେ ଫାଟ: ଦିଲ୍ଲୀରେ ଏକା ଲଢିବ କଂଗ୍ରେସ

ନୂଆଦିଲ୍ଲୀ,୧୭।୮: ମିଶନ ୨୪କୁ ନେଇ ଅଣ୍ଟା ଭିଡିଲେଣି ସବୁ ଦଳ। ୨୪ ଲୋକସଭା ନିର୍ବାଚରେ ମୋଦିଙ୍କୁ ହରାଇବାକୁ ରଣନୀତି ପ୍ରସ୍ତୁତ କଲେଣି ବିରୋଧୀ। ତେବେ ଏନଡିଏ ମେଣ୍ଟକୁ ହରାଇବା ପାଇଁ ସବୁ ବିରୋଧୀ ଦଳ ଏକଜୁଟ ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। କିନ୍ତୁ ଏବେଠାରୁ ଏଥିରେ ଫାଟ ଦେଖିବାକୁ ମିଳିଲାଣି। ଘୋଷଣା ନ କଲେ ମଧ୍ୟ ଦିଲ୍ଲୀରେ କଂଗ୍ରେସ ଏକା ଲଢିବ ବୋଲି ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଲାଣି। ଦିଲ୍ଲୀର ବୁଥ ସ୍ତର ପର୍ଯ୍ୟନ୍ତ ସଂଗଠନକୁ ମଜବୁତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି।

ଉଦୟପୁର ନବସଂକଳ୍ପ ଶିବିରର ପ୍ରସ୍ତାବ ଅନୁଯାୟୀ ଦଳ ସଂଗଠନକୁ ବିସ୍ତାର କରିବ ଏବଂ ଜନସାଧାରଣଙ୍କ ସହ ଯୋଗାଯୋଗ କରିବ ବୋଲି ଘୋଷଣା କରିଛି। ବୁଧବାର ଦିନ ପାର୍ଟି ମୁଖ୍ୟାଳୟରେ କଂଗ୍ରେସର ଶୀର୍ଷ ନେତୃତ୍ୱମାନେ ମିଶି ଏକ ବୈଠକ କରିଥିଲେ। ଯେଉଁଥିରେ ୨୦୨୪ ଲୋକସଭା ନିର୍ବାଚନରେ ଦିଲ୍ଲୀକୁ ନେଇ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଦିଲ୍ଲୀରେ ଦଳକୁ ମଜବୁତ କରିବା ବ୍ୟତୀତ ଆମ ଆଦମୀ ପାର୍ଟି ସହିତ ଏକ ସମ୍ଭାବ୍ୟ ସମ୍ପର୍କ ଉପରେ ଆଲୋଚନା କରାଯାଇଥିଲା। ତଥାପି, କୌଣସି ନେତା ଏଏପି ସହିତ ଏକାଠି ଲଢିବାର କୌଣସି ଆଲୋଚନା ହୋଇନାହିଁ ବୋଲି ଗଣମାଧ୍ୟମରେ ସୂଚନା ଦେଇଥିଲେ।

ବୈଠକ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଲୋକସଭାକୁ ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀ କଂଗ୍ରେସ ନେତାଙ୍କ ସହ ଆଲୋଚନା କରାଯାଇଥିଲା। ଆମେ ଦିଲ୍ଲୀକୁ ସୁଖ ଓ ସମୃଦ୍ଧି କରିଛୁ। ଦିଲ୍ଲୀର ଲୋକଙ୍କ ପାଇଁ ଆମର ସଂଗ୍ରାମ ଜାରି ରହିବ। ବୈଠକରେ ରାହୁଲ ଓ ଖାର୍ଗେ ରାଜ୍ୟର ସମସ୍ତ ନେତାଙ୍କୁ ଏକଜୁଟ ରହିବାକୁ ଆହ୍ବନ ଦେଇଛନ୍ତି।

ବୈଠକରେ ରାହୁଲ ଦିଲ୍ଲୀର ପମ୍ପଚର ବାଲାରୁ ଆରମ୍ଭ କରି ଦିଲ୍ଲୀର ଆଜାଦପୁର ମଣ୍ଡି ପର୍ଯ୍ୟନ୍ତ ନିଜର ସ୍ମୃତି ବାଣ୍ଟିଥିଲେ। ରାହୁଲ କହିଛନ୍ତି, ଦିଲ୍ଲୀ ବିଲକୁ ନେଇ ଆମେ ଏଏପିକୁ ସମର୍ଥନ କରୁଛୁ। କିନ୍ତୁ ଏହାକୁ କୌଣସି ଭାବରେ ପାର୍ଟିକୁ ସମର୍ଥନ ରୂପରେ ଦେଖାଯାଇପାରିବ ନାହିଁ।

କଂଗ୍ରେସର ଏହି ବୈଠକରେ ପରେ ଇଣ୍ଡିଆ ମେଣ୍ଟରେ ମତଭେଦ ଆରମ୍ଭ ହୋଇଛି। ଏଏପି ମୁଖପାତ୍ର ପ୍ରିୟଙ୍କା କକ୍କର ଏନେଇ କହିଛନ୍ତ, ଯଦି ଦିଲ୍ଲୀରେ ହେବାକୁ ଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛି, ତେବେ ଇଣ୍ଡିଆ ମେଣ୍ଟର କୌଣସି ଯଥାର୍ଥତା ନାହିଁ। ତେବେ ମୁମ୍ବାଇରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ବୈଠକରେ ଭାଗ ନେବାକୁ ଏଏପି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

 

Share