ନୂଆଦିଲ୍ଲୀ,୧୫ା୧୧: ଉତ୍ତରାଖଣ୍ଡରେ ଜଣେ କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍ ଡ୍ରାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ପିଥୋରାଗଡ଼ରେ ଆୟୋଜିତ ଜୌଲଜୀବୀ ମେଳାର ମଞ୍ଚରେ ବିଧାୟକ ଜଣକ ହଙ୍ଗାମା କରିବା ସହ ମାଇକ୍ ଫିଙ୍ଗି ଦେଇଥିଲେ । ଏପରିକି ମଞ୍ଚରୁ ତଳକୁ ଓହ୍ଲାଇ ଚେୟାର ଫିଙ୍ଗିବା ସହ ସାଉଣ୍ଡ ଅପରେଟରଙ୍କୁ ଚେୟାରରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।
ହଙ୍ଗାମା କରିଥିବା ବିଧାୟକ ହେଉଛନ୍ତି ଧାରଚୁଲା ବିଧାନସଭା ଆସନର କଂଗ୍ରେସ ବିଧାୟକ ହରିଶ ସିଂ ଧାମୀ । ପ୍ରାୟ ୧୦ ମିନିଟ୍ର ଏହି ଭିଡିଓରେ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଧାରଚୁଲାରୁ ନିର୍ବାଚନ ଲଢ଼ିବାକୁ ଚ୍ୟାଲେଞ୍ଜ ଦେଉଥିବା ଶୁଣିବାକୁ ମିଳୁଛି। ସୂଚନା ଅନୁସାରେ, ଜୌଲଜୀବୀ ମେଳା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମଧ୍ୟ ଉପସ୍ଥିତ ଥିଲେ। ସେ କାର୍ଯ୍ୟକ୍ରମରୁ ଚାଲିଯିବା ପରେ ହଙ୍ଗାମା ଆରମ୍ଭ ହୋଇଥିଲା। ମେଳାର ଅଧ୍ୟକ୍ଷ ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ନିଜ ମତ ରଖିବାକୁ ସୁଯୋଗ ଦିଆଯାଇନଥିବା ଏବଂ ମଝିରେ ମାଇକ୍ ବନ୍ଦ କରିଦିଆଯାଇଥିବା ଅଭିଯୋଗ କରିଛନ୍ତି ବିଧାୟକ ହରିଶ ଧାମୀ।
ପୋଲିସର ସୂଚନା ଅନୁସାରେ, ମାଇକ୍ ବନ୍ଦ ହେବାରୁ ବିଧାୟକ ରାଗିଯାଇଥିଲେ । ଏହାକୁ ନେଇ ତାଙ୍କ ସମର୍ଥକମାନେ ମଧ୍ୟ ଉତ୍ତ୍ୟକ୍ତ ହୋଇଥିଲେ । ବିଧାୟକ ମାଇକ୍ ଫିଙ୍ଗିବା ସହ ମଞ୍ଚରୁ ଓହ୍ଲାଇ ସାଉଣ୍ଡ ଅପରେଟରଙ୍କ ଉପରେ ରାଗ ଝାଡ଼ିଥିଲେ । ପୋଲିସ କର୍ମଚାରୀମାନେ ମଧ୍ୟସ୍ଥତା କରି ତାଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲେ । ତେବେ ଘଟଣାର ଭିଡିଓ ରେକର୍ଡ କରି କେହି ସୋସିଆଲ ମିଡିଆରେ ଛାଡ଼ିବା ପରେ ତାହା ଭାଇରାଲ୍ ହୋଇଛି ।
ହଙ୍ଗାମା ସମୟରେ ବିଧାୟକ ହରିଶ ଧାମୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ଟାର୍ଗେଟ୍ କରିଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କୁ ଧାରଚୁଲା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଚ୍ୟାଲେଞ୍ଜ ଦେଇଥିଲେ । କଂଗ୍ରେସ ହାଇକମାଣ୍ଡ ନିର୍ଦ୍ଦେଶ ଦେଲେ ସେ ଯେକୌଣସି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହେବେ, କିନ୍ତୁ ମୁଖ୍ୟମନ୍ତ୍ରୀ ଧାରଚୁଲାରୁ ନିର୍ବାଚନ ଲଢ଼ିଲେ ନିଶ୍ଚିତ ହାରିବେ ବୋଲି କହିଥିଲେ।
ଅନ୍ୟପଟେ, ବିଧାୟକଙ୍କ ଏଭଳି ଆଚରଣକୁ ଭାଜପା ସମାଲୋଚନା କରିଛି । ସାର୍ବଜନୀନ ମଞ୍ଚରେ ସେ ଗାଳିଗୁଲଜ ଓ ଅଶାଳୀନ ଭାଷା ବ୍ୟବହାର କରିଥିବା ଭାଜପା ଅଭିଯୋଗ କରିଛି। ଉତ୍ତରାଖଣ୍ଡ ଭାଜପାର ଜିଲା ମନ୍ତ୍ରୀ ରଘୁବୀର ସିଂ କହିଛନ୍ତି, ବିଧାୟକ ନିଜ ନିର୍ବାଚନମଣ୍ଡଳୀରେ ପାଞ୍ଚ ବର୍ଷରେ କ’ଣ ବିକାଶ କରିଛନ୍ତି, ତାହାର ଜବାବ ଦେବା ଉଚିତ । ଆଗାମୀ ନିର୍ବାଚନରେ ପରାଜୟ ଭୟରେ ସେ ଏଭଳି ଆଚରଣ କରୁଥିବା ମଧ୍ୟ ରଘୁବୀର ଅଭିଯୋଗ କରିଛନ୍ତି।ଏହି ଘଟଣା ପରେ ଉତ୍ତରାଖଣ୍ଡରେ କଂଗ୍ରେସ ଓ ଭାଜପା ମଧ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି ।