Categories: ଜାତୀୟ

‘କଙ୍ଗନାଙ୍କ ଗାଲଠାରୁ ଅଧିକ ଚିକ୍କଣ ହେବ ରାସ୍ତା’

ରାଞ୍ଚି,୧୫।୧: ଝାଡ଼ଖଣ୍ଡର ଜାମତରା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ଇରଫାନ୍‌ ଅନସାରୀ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଗାଲ ଅପେକ୍ଷା ତାଙ୍କ ଅଞ୍ଚଳର ରାସ୍ତା ଅଧିକ ଚିକ୍କଣ ହେବ।

ଏକ ଭିଡିଓ ଜାରି କରି ଇରଫାନ୍‌ କହିଛନ୍ତି, ଜାମତରାରେ ବିଶ୍ୱସ୍ତରୀୟ ମସୃଣ ରାସ୍ତା ତିଆରି ହେବ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ କହି ମୋ ଅଞ୍ଚଳରେ ୧୪ ରାସ୍ତା ପାସ୍‌ କରିଛି। ଏହି ରାସ୍ତାଗୁଡ଼ିକ କଙ୍ଗନାଙ୍କ ଗାଲଠାରୁ ଅଧିକ ଚିକ୍କଣ ହେବ। ଆମ ଆଦିବାସୀ ପିଲା, ଯୁବଗୋଷ୍ଠୀ, ବ୍ୟବସାୟୀ, ସାଧାରଣ ଲୋକ ଏହି ରାସ୍ତାରେ ଚାଲିବେ। ଚକାଚକ୍‌ ରାସ୍ତା ହେବ।

ଏଭଳି ବୟାନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ଇରଫାନ୍‌ ଲୋକଙ୍କୁ ଅଧିକ ସମୟ ମାସ୍କ ନ ପିନ୍ଧିବାକୁ କହି ବିବାଦକୁ ଆସିଥିଲେ। ଅଧିକ ସମୟ ମାସ୍କ ପିନ୍ଧିଲେ ଅଙ୍ଗାରକାମ୍ଳ ଶରୀରକୁ ଯାଇଥାଏ। ଏହା ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଆର୍‌ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଧ୍ୟ ବହୁ ବର୍ଷ ପୂର୍ବେ ବିହାରର ରାସ୍ତାକୁ ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀଙ୍କ ଗାଲ ପରି କରିବା ନେଇ ବୟାନ ଦେଇଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା।

Share