Categories: ଜାତୀୟ

କଂଗ୍ରେସ ପାକିସ୍ତାନରୁ ଆରମ୍ଭ କରୁ ଭାରତ ଯୋଡ ଯାତ୍ରା, ଭାଜପାର କଟାକ୍ଷ…

ନୂଆଦିଲ୍ଲୀ,୭।୯ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଯଦି କଂଗ୍ରେସକୁ ଏହି ଯାତ୍ରା ଆରମ୍ଭ କରିବାକୁ ଚାହୁଁଛି, ତେବେ ଏହା ପାକିସ୍ତାନରୁ ଆରମ୍ଭ ହେବା ଉଚିତ। ଭାରତ ପୂର୍ବରୁ ଅଖଣ୍ଡ ଥିଲା।

୧୯୪୭ମସିହାରେ ଭାରତ ବିଭାଜିତ ହୋଇଥିଲା। ତେଣୁ ଭାରତରେ ଏହି ଯାତ୍ରାର କୌଣସି ଲାଭ ନାହିଁ। ଏହି ଯାତ୍ରାରେ ରାହୁଲଙ୍କୁ ଅଖଣ୍ଡ ଭାରତ ମଧ୍ୟରେ ଭ୍ରମଣ କରିବାକୁ ପଡିବ। ସେଥିପାଇଁ ଏହାକୁ ପାକିସ୍ତାନରୁ ଆରମ୍ଭ କଲେ ଭଲ ହେବ କହି ସେ କଟାକ୍ଷ କରିଛନ୍ତି। ଭାରତରେ ଏହି ଯାତ୍ରା କରିବାର ଅର୍ଥ ନାହିଁ।

ଏହି କ୍ରମରେ ତାମିଲନାଡୁର ଭାଜପା ମୁଖ୍ୟ ଅନ୍ନାମଲାଇ କହିଛନ୍ତି ଯେ ରାହୁଲ ଗାନ୍ଧୀ ଭାରତ ଯୋଡ ନୁହେଁ ଭାରତ ଛାଡ ଯାତ୍ରା ପାଇଁ ପ୍ରସିଦ୍ଧ। ଯେତେବେଳେ ରାହୁଲ ଗାନ୍ଧୀ ଏହି ଯାତ୍ରା ମାଧ୍ୟମରେ ଦେଶ ଭ୍ରମଣ କରିବେ, ସେତେବେଳେ ସେ ଜାଣିବେ ଯେ ଆଠ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିପରି ଦେଶରେ ପରିବର୍ତ୍ତନ କରିଛନ୍ତି ଏବଂ ତାଙ୍କ ଆଖି ଖୋଲିଯିବ।

ଏହାକୁ ନେଇ କଂଗ୍ରେସ କଡ଼ା ଜବାବ ଦେବା ସହିତ କହିଛି ଯେ ଦେଶର ସ୍ବାଧୀନତା ଆନ୍ଦୋଳନରେ ଆରଏସଏସର ଭୂମିକାକୁ ମନେ ପକାଇବାର ଆବଶ୍ୟକତା ରହିଛି। କଂଗ୍ରେସ ସାଂସଦ ମାଣିକାମ ଟାଗୋର କହିଛନ୍ତି ଯେ ଭାଜପା ସତ କହୁଛି, ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନରେ ଆରଏସଏସ ଅଂଶଗ୍ରହଣ କରି ନଥିଲା। ବର୍ତ୍ତମାନ ମହାତ୍ମାଙ୍କୁ ଅନୁସରଣ କରି ଆମର ରାହୁଲ ଭାରତ ଯୋଡ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହାକୁ ନେଇ ଭାଜପା ଚିନ୍ତାରେ ପଡ଼ିଛି। ଭାରତ ଯୋଡ ଯାତ୍ରାକୁ ସହ୍ୟ କରି ନପାରି ଭାଜପା ଏଭଳି ବିଭ୍ରାନ୍ତକାରୀ ମନ୍ତବ୍ୟ ଦେବାରେ ଲାଗିଛି।

Share