Categories: ଜାତୀୟ

ଦୁର୍ଭାଗ୍ୟବଶତଃ ମୁଁ ଏମ୍‌ପିି: ଖବରଦାତା ସମ୍ମିଳନୀରେ କିଛି ଏଭଳି କହିଲେ ରାହୁଲ

ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନ୍‌ରେ ଦେଇଥିବା ଏକ ବିବୃତ୍ତିକୁ ନେଇ ଭାଜପା ତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। ବିଦେଶରୁ ଫେରିବା ପରେ ରାହୁଲ ଗାନ୍ଧୀ ଗୁରୁବାର ଅପରାହ୍ନ ୩ଟା ୩୦ରେ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଯେଉଁଥିରେ ସେ ଭାଜପାକୁ ଜବାବ ଦେଇଥିଲେ। ଏହି ସମୟରେ ରାହୁଲ କିଛି ଏଭଳି କହିଛନ୍ତି ଯେ, ଜୟରାମ ରମେଶଙ୍କୁ ତାଙ୍କୁ ଅଧାରୁ ଅଟକାଇବାକୁ ପଡ଼ିଛି। ସମ୍ମିଳନୀରେ ରାହୁଲଙ୍କ ଗୋଟିଏ ପଟେ ଜୟରାମ ରମେଶ ଏବଂ ଅନ୍ୟପଟେ କେ.ସି ବେଣୁଗୋପାଳ ବସିଥିଲେ। ଭାଜପାର ଜବାବ ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ଭାଜପାର ଅଭିଯୋଗର ଉତ୍ତର ସେ ଗୃହରେ ଦେବାକୁ ଚାହୁଁଛନ୍ତି। କିନ୍ତୁ ଜଣାନାହିଁ ସଂସଦରେ ତାଙ୍କୁ କହିବାକୁ ଅନୁମତି ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି, ଦୁର୍ଭାଗ୍ୟବଶତଃ ମୁଁ ସଂସଦର ଜଣେ ଏମ୍‌ପି ଏବଂ ମୋର ଆଶା ଯେ, ମୋତେ ସଂସଦରେ କହିବାକୁ ଅନୁମତି ଦିଆଯିବ। ତେଣୁ ମୁଁ ପ୍ରଥମେ ମୋର ବିବୃତ୍ତି ଗୃହରେ ରଖିବାକୁ ଚାହୁଁଛି। ଏହାପରେ ମୁଁ ଆଲୋଚନା କରିବି ଯେପରି ଭାଜପା କରିବାକୁ ଚାହିଁବ ବୋଲି ରହୁଲ କହିଛନ୍ତି। ଏହି ସମୟରେ ଜୟରାମ ରମେଶ ରାହୁଲ ଗାନ୍ଧୀଙ୍କ କଥାକୁ ତୁରନ୍ତ ଧ୍ୟାନ ଦେଇଥିଲେ। ରାହୁଲଙ୍କ ଲାଇନ ଶେଷ ହେବା ମାତ୍ରେ ଜୟରାମ ରମେଶ ତାଙ୍କ କାନରେ ଯାହା କହିଥିଲେ ତାହା ସେଠାରେ ରଖାଯାଇଥିବା ମାଇକରେ ରେକର୍ଡ ହୋଇଯାଇଥିଲା। ଜୟରାମ ରମେଶ ରାହୁଲଙ୍କୁ କହିଛନ୍ତି, ଆପଣ କହିଛନ୍ତି, ଦୁର୍ଭାଗ୍ୟବଶତଃ ମୁଁ ଜଣେ ଏମ୍‌ପି। ବିରୋଧୀ ଏହାକୁ ନେଇ ଆପଣଙ୍କୁ ପରିହାସ କରିପାରନ୍ତି ବୋଲି ଜୟରାମ ରମେଶ କହିଛନ୍ତି। ତାଙ୍କ କଥା ଶୁଣିବା ପରେ ରାହୁଲ ଗାନ୍ଧୀ ପୁଣି ନିଜ କଥା ଦୋହରାଇଥିଲେ। ତାଙ୍କ କଥାକୁ ସଂଶୋଧନ କରି ରାହୁଲ ଗଣମାଧ୍ୟମକୁ କହିଛନ୍ତି, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଦୁର୍ଭାଗ୍ୟବଶତଃ ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିବି ନାହିଁ। କାରଣ ସଂସଦରେ ୪ଜଣ ମନ୍ତ୍ରୀ ମୋ ନାଁରେ ଅଭିଯୋଗ ଆଣିଛନ୍ତି ତେଣୁ ତାଙ୍କୁ କହିବାକୁ ସୁଯୋଗ ଦିଆଯିବା ଉଚିତ୍‌। କାରଣ ତାଙ୍କର ଗଣତାନ୍ତ୍ରିକ ଅଧିକାର ରହିଛି ବୋଲି ସେ କହିଛନ୍ତି। ରାହୁଲଙ୍କ ଖବରଦାତା ସମ୍ମିଳନୀର କିଛି ମିନିଟ ମଧ୍ୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି।

Share