Categories: ଜାତୀୟ

ଭାରତୀୟ ଗଣତନ୍ତ୍ର ଓମ୍‌ ଶାନ୍ତି: କଂଗ୍ରେସ

ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ଏକ ବଡ଼ ଝଟ୍‌କା ଲାଗିଛି। ତାଙ୍କର ଲୋକ ସଭା ସଦସ୍ୟତା ବାତିଲ କରାଯାଇଛି। ଏହାପରେ ରାଜନୀତି ସରଗରମ ରହିଛି। ଏହି ନିଷ୍ପତ୍ତି ପରେ କଂଗ୍ରେସ କେନ୍ଦ୍ରକୁ ତୀବ୍ର ଟାର୍ଗେଟ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଏହି ଯୁଦ୍ଧକୁ ଆମେ ଆଇନଗତ ଏବଂ ରାଜନୈତିକ ଭାବେ ଲଢ଼ିବୁ। ଆମେ ଭୟଭୀତ କିମ୍ବା ଚୁପ୍‌ ରହିବୁ ନାହିଁ। ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଆଦାନୀ ମହାମେଗା ଦୁର୍ନୀତିରେ ଜେପିସି ବଦଳରେ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ କରାଯାଇଛି। ଭାରତୀୟ ଗଣତନ୍ତ୍ର ଓମ୍‌ ଶାନ୍ତି ବୋଲି ଜୟରାମ ରମେଶ କହିଛନ୍ତି। ସେହିପରି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋର୍ଟଙ୍କ ନିଷ୍ପତ୍ତିର ୨୪ଘଣ୍ଟା ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଏବଂ ଏହାର ଗତିକୁ ଦେଖି ସ୍ତବ୍ଧ ହୋଇଯାଉଛି। ଏହା ଆମ ଗଣତନ୍ତ୍ର ପାଇଁ ଏକ ଅଶୁଭ ସଙ୍କେତ ବୋଲି ଥରୁର କହିଛନ୍ତି। ଅନ୍ୟପଟେ ଦିଗ୍‌ବିଜୟ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଏହି ସବୁ ଘଟିଛି, ଆମେ ଜେଲ୍‌ ଯିବାକୁ ପ୍ରସ୍ତୁତ କିନ୍ତୁ ଆଦାନୀଙ୍କ ଉପରେ ଜେପିସି କରିକି ହିଁ ରହିବୁ।

Share