Categories: ଜାତୀୟ

ଭାଜପା ପ୍ରାର୍ଥୀଙ୍କୁ ଆଇଟମ୍‌ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୋପାଳ,୧୮।୧୦: ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ମଧ୍ୟପ୍ରଦେଶରେ ଉପ-ନିର୍ବାଚନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଉପନିର୍ବାଚନରେ ଲଢୁଥିବା ଭାରତୀୟ ଜନତା ପାର୍ଟିର ମହିଳା ପ୍ରାର୍ଥୀ ଇମର୍ତ୍ତୀ ଦେବୀଙ୍କ ସମ୍ପର୍କରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ତାଙ୍କର ମନ୍ତବ୍ୟକୁ ନେଇ ବିବାଦ ଲାଗି ରହିଛି। ଭାଜପା ତାଙ୍କୁ ସମାଲୋଚନା କରିଛି। ମଧ୍ୟପ୍ରଦେଶର ଡବ୍‌ରାଠାରେ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ରାଜେଶଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା କମଲନାଥ କହିଥିଲେ ଯେ ସୁରେନ୍ଦ୍ର ରାଜେଶ ଆମର ପ୍ରାର୍ଥୀ, ସେ ସରଳ ସ୍ବଭାବର ଏବଂ ସାଧାସିଧା। ସେ ତାଙ୍କ ଭଳି ନୁହେଁ, ତାଙ୍କର ନାମ କ’ଣ? ମୁଁ ଯଦି ତାଙ୍କ ନାମ ନେବି, ତୁମେ ତାଙ୍କୁ ମୋ ଠାରୁ ଭଲ ଭାବରେ ଜାଣିଛ, ତୁମମାନଙ୍କୁ ମୋତେ ଆଗରୁ ସାବଧାନ କରିବାର ଥିଲା, ସେ ଜଣେ ଆଇଟମ୍‌ ବୋଲି କହିଛନ୍ତି।
କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକଙ୍କ ମଧ୍ୟରୁ ଇମ୍ରତୀ ଦେବୀ ଅନ୍ୟତମ। କମଲନାଥଙ୍କ ବିବୃତ୍ତି ଉପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, କମଲ ନାଥ! ଇମର୍ତ୍ତୀ ଦେବୀ ଜଣେ ଗରିବ ଚାଷୀଙ୍କ ଝିଅର ନାମ, ଯିଏ କି ଗାଁରେ ଶ୍ରମିକ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ଆଜି ସେ ଜନସେବକ ଭାବେ ରାଷ୍ଟ୍ର ନିର୍ମାଣରେ ସହଯୋଗ କରୁଛନ୍ତି। କଂଗ୍ରେସ ମୋତେ ‘ଭୋକିଲା-ଉଲଗ୍ନ’ ବୋଲି କହିଲା ଏବଂ ଜଣେ ମହିଳାଙ୍କ ପାଇଁ ‘ଆଇଟମ’ ଭଳି ଶବ୍ଦ ବ୍ୟବହାର କରି ତୁମେ ପୁଣିଥରେ ତୁମର ସାମ୍ରାଜ୍ୟବାଦୀ ଚିନ୍ତାଧାରାକୁ ପ୍ରକାଶ କଲ। ଆଉ ଏକ ଟୁଇଟ୍‌ରେ ଇମର୍ତ୍ତୀ ଦେବୀଙ୍କ ସହ ରାଜ୍ୟର ପ୍ରତ୍ୟେକ ଝିଅଙ୍କୁ କମଲନାଥ କ୍ଷମା ମାଗିବା ଉଚିତ୍‌ ବୋଲି ଶିବରାଜ କହିଛନ୍ତି।

Share