Categories: ଜାତୀୟ

ନଡ୍ଡାଙ୍କୁ ଭେଟିଲେ କଂଗ୍ରେସର ବରିଷ୍ଠ ନେତା: ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ,୮।୭: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମ୍‌ପି ଆନନ୍ଦ ଶର୍ମା ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ କିଛି ମାସ ପୂର୍ବରୁ ଏହି ଭେଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆନନ୍ଦ ଶର୍ମା ହିମାଚଳ ପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବାରୁ ସେ ଖୁବ୍‌ଶୀଘ୍ର ଭାଜପାରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି।
ସୂଚନାନୁସାରେ, ନଡ୍ଡାଙ୍କୁ ଭେଟିବା ଉପରେ ଆନନ୍ଦ ଶର୍ମା କହିଛନ୍ତି, ନଡ୍ଡାଙ୍କୁ ଭେଟିବାର ମୋର ସମସ୍ତ ଅଧିକାର ଅଛି। ସେ ମୋ ପାଇଁ କେବଳ ଭାଜପା ସଭାପତି ନୁହଁନ୍ତି, ଆମେ ଦୁହେଁ ସମାନ ରାଜ୍ୟରୁ ଆସିଛୁ ଏବଂ ସମାନ ବିଶ୍ୱବିଦ୍ୟାଳୟର ଛାତ୍ର ହୋଇଛୁ। ଆମର ସାମାଜିକ ଏବଂ ପାରିବାରିକ ସମ୍ପର୍କ ମଧ୍ୟ ଅଛି। ଏଥିରେ ରାଜନୀତି ଯୋଡାଯିବା ଉଚିତ୍‌ ନୁହେଁ।
ଆନନ୍ଦ ଶର୍ମା କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ର ଅନ୍ୟତମ ପ୍ରମୁଖ ସଦସ୍ୟ, ଯିଏକି ଦଳର ନେତୃତ୍ୱକୁ ନେଇ ଅନେକ ଥର ତଥା ସର୍ବସାଧାରଣରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Share