Categories: ଜାତୀୟ

ଉତ୍ତରାଖଣ୍ଡରେ କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର

ନୂଆଦିଲ୍ଲୀ/ଡେରାଡୁନ,୨।୨: ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ରାଜନୈତିକ ଦଳ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି। ଏପରିସ୍ଥତିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତାରାଖଣ୍ଡ ପାଇଁ ନିର୍ବାଚନ ଇସ୍ତାହର ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ପ୍ରିୟଙ୍କା କହିଛନ୍ତି, ଉତ୍ତରାଖଣ୍ଡରେ କଂଗ୍ରେସ କ୍ଷମତାକୁ ଫେରିଲେ ରାଜ୍ୟର ୫ ଲକ୍ଷ ପରିବାରକୁ ବାର୍ଷିକ ୪୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏପରି କି ରାଜ୍ୟର ୪ ଲକ୍ଷ ଶିକ୍ଷିତ ବେକାର ଯୁବତୀ ଯୁବକଙ୍କୁ ଚାକିରୀ ଦେବାକୁ କଂଗ୍ରେସ ତା’ର ଇସ୍ତାହର ପତ୍ରରେ ଉଲ୍ଲେଖ କରିଛି ।

ଅନ୍ୟପକ୍ଷେ ଉତ୍ତରାଖଣ୍ଡରେ କଂଗ୍ରେସ ସରକାରକୁ ଆସିଲେ ପ୍ରତ୍ୟେକ ଜିଲାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ଇସ୍ତାହର ପତ୍ରରେ କୁହାଯାଇଛି। ଏହାସହ ରାଜ୍ୟରେ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି କଂଗ୍ରେସ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଛି।

ଏପରିକି ପ୍ରିୟଙ୍କା ଡେରାଡୁନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା ବେଳେ ଦେଶର ଆଖୁଚାଷୀଙ୍କ ୧୪ ହଜାର କୋଟି ଟଙ୍କାର ବକେୟା ରାଶି ସରକାର ପ୍ରଦାନ କରି ନାହାନ୍ତି। ହେଲେ ପ୍ରଧାନମନ୍ତ୍ରୀ ନିଜ ପାଇଁ ୪ ହଜାର କୋଟି ଟଙ୍କାର ୨ଟି ହେଲିକପ୍ଟର କିଣୁଛନ୍ତି ବୋଲି ଭାଜପାକୁ ଟାର୍ଗେଟ କରିଥିଲେ। ୭୦ ସିଟ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ମତଦାନ କରାଯିବ। ମାର୍ଚ୍ଚ ୧୦ରେ ଫଳାଫଳ ଘୋଷଣା କରାଯିବ।

 

Share