Categories: ଜାତୀୟ

ଆଇଏନ୍‌ସି ଟିଭି ଲଞ୍ଚ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ, ୧୫।୪: ଡ. ଭୀମରାଓ ଆମ୍ବେଡ୍‌କରଙ୍କ ଜନ୍ମବାର୍ଷିକୀ ଅବସରରେ ବୁଧବାର କଂଗ୍ରେସ ଦଳ ପକ୍ଷରୁ ଆଇଏନ୍‌ସି ଟିଭି ନାମରେ ଏକ ଡିଜିଟାଲ ମିଡିଆ ପ୍ଲାଟ୍‌ଫର୍ମର ଶୁଭାରମ୍ଭ ହୋଇଛି। କଂଗ୍ରେସର ସ୍ବର ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ଡିଜିଟାଲ ମିଡିଆ ପ୍ଲାଟଫର୍ମର ଉଦ୍ଦେଶ୍ୟ। ଏହି ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ଉପଲବ୍ଧ ହେବ। ମୁଖ୍ୟସ୍ରୋତରେ ଥିବା ଗଣମାଧ୍ୟମଗୁଡ଼ିକ ବିରୋଧୀ ଦଳ ପ୍ରତି ପାତରଅନ୍ତର ମନୋଭାବ ପ୍ରଦର୍ଶନ କରୁଥିବା କଂଗ୍ରେସ ଦୀର୍ଘବର୍ଷ ହେବ ଅଭିଯୋଗ କରିଆସୁଥିଲା। ତେବେ ଉକ୍ତ ଟିଭି କିପରି ଲକ୍ଷ୍ୟ ପୂରଣ କରିବ ତାକୁ ନେଇ ଦଳୀୟ ନେତାମାନେ ସନ୍ଦିହାନ ଅଛନ୍ତି। କଂଗ୍ରେସ ମୁଖ୍ୟାଳୟରେ ଟିଭି ଲଞ୍ଚ୍‌ ଅବସରରେ ଦଳୀୟ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି, ଏପ୍ରିଲ ୨୪ ଜାତୀୟ ପଞ୍ଚାୟତିରାଜ ଦିବସରୁ ଆଇଏନ୍‌ସି ଟିଭି ଶୋ’ ପ୍ରସାରଣ ଆରମ୍ଭ ହେବ। ପ୍ରତ୍ୟହ ଏହା ଅନୂ୍ୟନ ୮ ଘଣ୍ଟା ଲାଇଭ୍‌ କାର୍ଯ୍ୟକ୍ରମ ପ୍ରସାରଣ କରିବ ବୋଲି ସେ କହିଛନ୍ତି। ଡିଜିଟାଲ ମିଡିଆ ପ୍ଲାଟଫର୍ମ ଶୁଭାରମ୍ଭ ଅବସରରେ କଂଗ୍ରେସ ମୁଖ୍ୟାଳୟରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ତଥା ଏଆଇସିସି ସାଧାରଣ ସମ୍ପାଦକ ମଲ୍ଲିକାର୍ଜୁନ ଖାର୍ଗେ, ଏନ୍‌ଏସ୍‌ୟୁଆଇ ଅଧ୍ୟକ୍ଷ ନୀରଜ କୁନ୍ଦନ, ମହିଳା କଂଗ୍ରେସ ଅଧ୍ୟକ୍ଷା ସସ୍ମିତା ଦେବ ପ୍ରମୁଖ ଉପସ୍ଥିତ ଥିଲେ।

Share