Categories: ଜାତୀୟ

କଂଗ୍ରେସ ଏମିତି ଏକ ସ୍କୁଲ, ଯେଉଁଠି ପ୍ରଧାନଶିକ୍ଷକଙ୍କ ପିଲା ରୁହନ୍ତି ଶୀର୍ଷରେ: ନରୋତ୍ତମ

ନୂଆଦିଲ୍ଲୀ,୨୪।୮:କଂଗ୍ରେସର ନେତୃତ୍ୱ ପରିବର୍ତ୍ତନକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ଗତ ବର୍ଷ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସୋନିଆ ଗାନ୍ଧୀ ଅସ୍ଥାୟୀ ଭାବେ ଦଳର ନେତୃତ୍ୱ ନେଇଥିଲେ। ଅନ୍ୟପଟେ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନକୁ ନେଇ ମଧ୍ୟପ୍ରଦେଶ ମନ୍ତ୍ରୀ ନରୋତ୍ତମ ମିଶ୍ର ନିଜର ମତ ରଖିଛନ୍ତି। ସେ କହିଛନ୍ତି, କଂଗ୍ରେସ ଏମିତି ଏକ ସ୍କୁଲ ଯେଉଁଠି କେବଳ ପ୍ରଧାନଶିକ୍ଷକଙ୍କ ପିଲାମାନେ ହିଁ ଶୀର୍ଷରେ ରହିଥାଆନ୍ତି। କଂଗ୍ରେସରେ ଏବେ ଅଧ୍ୟକ୍ଷ ପଦ ପାଇଁ ଯେଉଁ ଯୋଗ୍ୟ ପ୍ରାର୍ଥୀମାନେ ରହିଛନ୍ତି ସେମାନେ ହେଲେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରିହାନ ଭଦ୍ରା ଓ ମିରାୟା ଭଦ୍ରା। ଏଥିରୁ କଂଗ୍ରେସ ଦଳର ସଦସ୍ୟମାନେ ବୁଝିଯିବା କଥା ଯେ ଏହା ଏମିତି ସ୍କୁଲ ଯେଉଁଠି କେବଳ ପ୍ରଧାନଶିକ୍ଷକଙ୍କ ପିଲାମାନେ ଶୀର୍ଷରେ ରହି ଆସିଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକର ଅବ୍ୟବହିତ ପୂର୍ବରୁ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସୋମବାର ହେବାକୁ ଥିବା ସିଡବ୍ଲ୍ୟୁସି ବୈଠକରେ ସେ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇପାରନ୍ତି। କଂଗ୍ରେସର ୨୩ ଏମ୍‌ପି ଏବଂ ବରିଷ୍ଠ ନେତା ଦଳରେ ସଂସ୍କାର ଓ ସାଙ୍ଗଠନିକ ଢାଞ୍ଚାରେ ପରିବର୍ତ୍ତନ ଆଣିବା ଲାଗି ସୋନିଆଙ୍କ ନିକଟକୁ ଚିଠି ଲେଖିବା ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ରାହୁଲ ପୁଣିଥରେ ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ ବୋଲି ମଧ୍ୟ ଅନେକେ ମତ ରଖିଛନ୍ତି।

Share