ପକେଟ୍‌ ଭୋଟକୁ କଂଗ୍ରେସର ଭରସା

ପଦ୍ମପୁର,୨୧।୧୧(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡ଼ି ଓ ଭାଜପା ନିଜର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ପଛରେ ପଡିଥିବା ପରିଲକ୍ଷିତ ହେଉଛି। ବର୍ତ୍ତମାନ ସ୍ଥିତିରେ ଏଠାରେ କଂଗ୍ରେସର ସଙ୍ଗଠନ ଦୁର୍ବଳ ହୋଇପଡିଥିବାରୁ ବିଗତ ୩ଟି ବିଧାନସଭା ନିର୍ବାଚନରେ ଦଳକୁ କେବଳ ପକେଟ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିଛି। ୨୦୦୯ ନିର୍ବାଚନରେ କଂଗ୍ରେସ ୩୨.୪୧% ଭୋଟ୍‌ ପାଇଥିଲା। ତେବେ ୨୦୧୪ରେ ଦଳ ସତ୍ୟଭୂଷଣ ସାହୁଙ୍କୁ ବଦଳାଇ ନୂଆ ମୁହଁ ଭାବେ ଡାକ୍ତର ପ୍ରକାଶ ନାରାୟଣ ତ୍ରିପାଠୀଙ୍କ ଉପରେ ଭରସା କରି ପ୍ରାର୍ଥୀ କରିଥିଲା। ସେତେବେଳେ ତାଙ୍କୁ କେବଳ ୧୭.୬୧% ଭୋଟ ମିଲିଥିଲା। ସେହିପରି ୨୦୧୯ରେ ଦଳ ପୁଣି ସତ୍ୟଭୂଷଣ ସାହୁଙ୍କୁ ରିପିଟ କରିଥିଲେ ମଧ୍ୟ ତାଙ୍କୁ ୧୬.୨୫% ଭୋଟ ମିଲିଥିଲା। ଗତ ତିନୋଟି ନିର୍ବାଚନରେ କଂଗ୍ରେସ ଦଳ ଅସଙ୍ଗଠିତ ହୋଇପଡିଛି। ନେତା କେବଳ ଭୋଟ୍‌ ବେଳେ ଆସୁଛନ୍ତି ପରେ ଆଉ ଦେଖା ଦେଉ ନ ଥିବା ଦଳୀୟ କର୍ମୀ ଅଭିଯୋଗ କରୁଛନ୍ତି। କଂଗ୍ରେସ ପ୍ରାର୍ଥୀ ହେଲେ ଦଳର ଯେଉଁ ପକେଟ ଭୋଟ ୩୦ରୁ ୩୨ହଜାର ରହିଛି ସେହି ଭୋଟ୍‌ ହିଁ ଭରସା ହୋଇଛି। ଅପରପକ୍ଷେ ଚଳିତ ଉପନିର୍ବାଚନରେ ଦଳୀୟ ସ୍ଥିତି ଦେଖି ଅନେକ ଯୁବନେତା ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି। ଏହି କ୍ରମରେ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଡାକ୍ତର ପ୍ରକାଶ ନାରାୟଣ ତ୍ରିପାଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚମ୍ପକେଶ୍ୱର ପୁରୋହିତ, ଝାରବନ୍ଧ ଅଞ୍ଚଳର ଯୁବନେତା ଡାକ୍ତର ନରେନ ପ୍ରଧାନ ପ୍ରମୁଖ ଦଳ ଛାଡି ଅନ୍ୟ ଦଳରେ ମିଶିଛନ୍ତି। ଏ ସମ୍ପର୍କରେ ପୂର୍ବତନ ଟାଉନ କଂଗ୍ରେସ ସଭାପତି ସନ୍ତୋଷ କୁମାର ଶତପଥୀଙ୍କୁ ପଚାରିବାରୁ ସେ କହିଲେ, ଆମେ ଦୀର୍ଘ ୨୨ବର୍ଷ ହେଲା କ୍ଷମତାରେ ନ ଥିବାରୁ ଦଳର ଆର୍ଥିକ ପରିସ୍ଥିତି ଦୁର୍ବଳ। ସେଥିପାଇଁ ସଙ୍ଗଠନ ସୁଦୃଢ ହୋଇପାରୁନି। ଅପରପକ୍ଷେ ବିଜେଡିର ଅର୍ଥ ଲୋଭରେ ପଡି କିଛି କଂଗ୍ରେସ ନେତା ବିକ୍ରି ହୋଇଛନ୍ତି ବୋଲି ଶତପଥୀ କହିଛନ୍ତି।