Categories: ଜାତୀୟ

ମୋଦିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ, ୧୮ା୩: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ପରିବାର ତାଙ୍କ ସାଜ୍ଞା କାହିଁକି ବ୍ୟବହାର କରୁ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ। ଏଥିପାଇଁ କଂଗ୍ରେସ ନେତା କେ.ସି. ବେଣୁଗୋପାଳ ଶୁକ୍ରବାର ମୋଦିଙ୍କ ବିରୋଧରେ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କରଙ୍କୁ ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଫେବୃୟାରୀ ୯ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖୁଥିଲାବେଳେ ନେହେରୁଙ୍କ ସାଜ୍ଞାକୁ ନେଇ ମନ୍ତବ୍ୟ ଦେଇଥିଲେ। ଉକ୍ତ ମନ୍ତବ୍ୟ ନେହେରୁ ପରିବାର ବିଶେଷ କରି ଲୋକ ସଭା ସଦସ୍ୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ କେବଳ ଅପମାନିତ କରିନାହିଁ ମର୍ଯ୍ୟାଦା ହାନି କରିଛି। ରାଜ୍ୟ ସଭା ଅଧିବେଶନ ପ୍ରକ୍ରିୟା ଓ ପରିଚାଳନା ନିୟମାବଳୀର ରୁଲ୍‌ ୧୮୮ ଅନୁଯାୟୀ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଦେଉଛି ବୋଲି ବେଣୁଗୋପାଳ ତାଙ୍କ ନୋଟିସରେ ଉଲ୍ଲେଖ କରିଛନ୍ତି।

Share