Categories: ଜାତୀୟ

ଉତ୍ତୋଳନ ବେଳେ ସୋନିଆଙ୍କ ହାତରେ ଖସିପଡିଲା ଦଳୀୟ ପତାକା

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସର ୧୩୭ ତମ ଫାଉଣ୍ଡେସନ ଦିବସ ପାଳନ ଅବସରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଥିଲା। ପାର୍ଟି କାର୍ଯ୍ୟାଳୟରେ ସ୍ଥାପନ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ କଂଗ୍ରେସର ଅନେକ ବଡ଼ ନେତା ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ସମାରୋହରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପତାକା ଉତ୍ତୋଳନ କରୁଥିଲେ। ଉତ୍ତୋଳନ ପୂର୍ବରୁ କଂଗ୍ରେସ ପତାକା ଖସି ପଡ଼ିଥିଲା। ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।
ସୋନିଆ ଯେତେବେଳେ ପତାକା ଉତ୍ତୋଳନ କରିବାକୁ ଦଉ ଜୋରରେ ଟାଣିଥିଲେ ସେତେବେଳେ ପତାକାଟି ଖସିପଡିଥିଲା। ଏହା ପରେ ସୋନିଆ ଗାନ୍ଧି, ଦଳର କୋଷାଧ୍ୟକ୍ଷ ପବନ ବଂଶଲ ଓ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ପତାକାଟିକୁ ଖୋଲି ହାତରେ ଧରିଥିଲେ। ପରେ ଜଣେ ଦଳୀୟ କର୍ମୀ ଖୁଣ୍ଟରେ ଚଢି ପତାକାଟିକୁ ଉପରେ ଲଗାଇଥିଲେ।
ସ୍ଥାପନା ଦିବସରେ ସୋନିଆ ଗାନ୍ଧୀ ଭାଜପାକୁ ଟାର୍ଗେଟ କରିଛନ୍ତି। ଦେଶର ସାଧାରଣ ନାଗରିକ ଅସୁରକ୍ଷିତ ଅନୁଭବ କରୁଛନ୍ତି। ଲୋକତନ୍ତ୍ର ଏବଂ ସମ୍ବିଧାନ ବିପଦରେ ରହିଛି। ଏହି ସମୟରେ କଂଗ୍ରେସ ଚୁପ୍‌ ରହିପାରିବ ନାହିଁ ବୋଲି ସେ କହିଛନ୍ତି।

Share