Categories: ଜାତୀୟ

ଶେଷ ହେବାକୁ ଯାଉଛି ‘ଭାରତ ଯୋଡୋ ଯାତ୍ରା’

ନୂଆଦିଲ୍ଲୀ,୧୧।୧: ଅନ୍ତିମ ଚରଣରେ ପହଞ୍ଚିବାକୁ ଯାଉଛି କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା। ଜାନୁୟାରୀ ୩୦ରେ ଏହାର ସମାପନ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ହେବ। ଏହାର ଭବ୍ୟ ସମାପନ ଲାଗି ଦେଶର ସର୍ବ ପୁରାତନ ଦଳ ନିଜର ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ଯାଉଛି। ଜାନୁୟାରୀ ୨୦ରେ ଏହି ଯାତ୍ରା ଜମ୍ମୁ-କଶ୍ମୀରରେ ପ୍ରବେଶ କରିବାକୁ ଥିବା ବେଳେ ଜାନୁୟାରୀ ୩୦ରେ ଶ୍ରୀନଗରରେ ପତାକା ଉତ୍ତୋଳନ ସହ ଶେଷ ହେବ।

ଯାତ୍ରାର ଶେଷ ଚରଣ ଲାଗି ଶ୍ରୀନଗରରେ ୨୦୦ କୋଠରୀ ବୁକ୍‌ କରାଯାଇଛି। ତେବେ ସମାପନ ସମାରୋହରେ ଏନ୍‌ସି ମୁଖ୍ୟ ଫାରୁକ୍‌ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ପିଡିପି ମୁଖ୍ୟ ମେହବୁବା ମୁଫତି, ୟୁସୁଫ ତାରାଗାମୀଙ୍କ ଭଳି ବିରୋଧୀ ଦଳ ନେତା ସାମିଲ ହେବେ ବୋଲି କୁହାଯାଉଛି।
ତେବେ ‘ଭାରତ ଯୋଡୋ’ରେ ସାମିଲ ହୋଇଥିବା ୧୬୩ଜଣ ଯାତ୍ରୀଙ୍କ ପାଇଁ ଏହା ସବୁଠାରୁ କଷ୍ଟକର ଯାତ୍ରା ହେବ। ପର୍ବତ ଆରୋହଣ ସାଙ୍ଗକୁ ପ୍ରବଳ ଥଣ୍ଡା ଯୋଗୁ ସେମାନଙ୍କ କଷ୍ଟ ଦ୍ୱିଗୁଣିତ ହେବ। ଲଖନପୁର ଦେଇ ଯାତ୍ରଆ ଜମ୍ମୁ କଶ୍ମୀରରେ ପ୍ରବେଶ କରିବ। ୯୦ କିମି ଚାଲିବା ପରେ ଏହା ଉଦାମପୁରରେ ପହଞ୍ଚିବ।

ଗଣତନ୍ତ୍ର ଦିବସ ଏବଂ ଭାରତ ଯୋଡୋ ଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାହୁଲଙ୍କ ଜେଡ୍‌ ପ୍ଲସ ସୁରକ୍ଷାକୁ ଦେଖି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି।

Share