Categories: ଜାତୀୟ

ଜନତା ପରିବାରରୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା

ବେଙ୍ଗାଲୁରୁ,୧୯ା୫: ଜନତା ପରିବାରରେ ଅଢ଼େଇ ଦଶନ୍ଧି ଧରି ରହିଆସିଥିବା ଏବଂ ଏକଦା କଂଗ୍ରେସ ବିରୋଧୀ ଆଭିମୁଖ୍ୟକୁ ନେଇ ପରିଚିତ ଥିବା ସିଦ୍ଦାରାମାୟା ଦ୍ୱିତୀୟ ଥର ପାଇଁ କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ସେ ୧୯୮୦ ଦଶକର ଆଦ୍ୟଭାଗରୁ ୨୦୦୫ ପର୍ଯ୍ୟନ୍ତ କଂଗ୍ରେସର ଘୋର ବିରୋଧୀ ଥିଲେ। କିନ୍ତୁ ୨୦୦୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ସହ ମତଭେଦ ଯୋଗୁ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)ରୁ ସିଦ୍ଦାରାମାୟା ବିଦା ହେବା ପରେ ସେ ମୂଳରୁ ବିରୋଧ କରିଆସୁଥିବା ସର୍ବପୁରାତନ ଦଳରେ ଯୋଗଦେଇଥିଲେ। ଏହି ଭେଟେରାନ୍‌ ନିଜ ଧୈର୍ଯ୍ୟ ଓ ଅଧ୍ୟବସାୟ ବଳରେ ୨୦୧୩ରେ କଂଗ୍ରେସ ପାର୍ଟିରୁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ। ୯ ଥର ବିଧାୟକ ହୋଇଥିବା ସିଦ୍ଦାରାମାୟାଙ୍କ ସେହି ଗୁଣ ୫ ବର୍ଷର ବ୍ୟବଧାନ ପରେ ତାଙ୍କୁ ପୁନର୍ବାର ସମାନ ପଦବୀ ସମ୍ଭାଳିବା ପାଇଁ ସୁଯୋଗ ଦେଇଛି।
୧୯୪୭ ଅଗଷ୍ଟ ୩ରେ ମହୀଶୂର ଜିଲା ବରୁଣ ହୋବ୍‌ଲି ନିକଟସ୍ଥ ସିଦ୍ଦାରମଣହୁଣ୍ଡି ଗ୍ରାମର ଏକ ଗରିବ ଚାଷୀ ପରିବାରରେ ସିଦ୍ଦାରାମାୟାଙ୍କ ଜନ୍ମ। ସିଦ୍ଦୁଙ୍କୁ ୧୦ ବର୍ଷ ହେବା ପର୍ଯ୍ୟନ୍ତ ସେ ସ୍କୁଲ ମାଡ଼ି ନ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ମହୀଶୂର ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଏବଂ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିଥିଲେ। ସେ ଚିକ୍କାବୋରାଇଆହରେ ଜଣେ ଜୁନିୟର ଓକିଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରେ କିଛି ସମୟ ପାଇଁ ଆଇନରେ ଅଧ୍ୟାପନା ମଧ୍ୟ କରିଥିଲେ। କର୍ନାଟକର ୨୨ତମ ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଶପଥ ନେବାକୁ ଯାଉଥିବା ଏହି ବର୍ଷୀୟାନ ନେତା ବିଦାୟୀ ବିଧାନସଭାରେ ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ସେ ଏକାଧିକ ଥର ଉପମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ବିଭାଗର ମନ୍ତ୍ରୀ ରହି ନିଜ କାର୍ଯ୍ୟଦକ୍ଷତା ଓ ବିଚକ୍ଷଣତାର ପରିଚୟ ଦେଇଥିଲେ।

Share