ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ଜିଲାର ୧୦ଟି ବ୍ଲକ ଓ ଦୁଇଟି ପୌରପାଳିକା ଅଞ୍ଚଳରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି।
ଜିଲା କଂଗ୍ରେସ ସଭାପତି ଡ଼. ଲିପିକା ମାଝୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଜିଲାର ବିଭିନ୍ନ ଛକ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପିକେଟିଂ କରି ପ୍ରତିବାଦ କରିଥିଲେ। ନବରଙ୍ଗପୁର ସହରର ଚାଉଁରିଆଗୁଡ଼ା ଛକ ଓ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା।
ଫଳରେ ସହର ମଧ୍ୟ ଦେଇ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିବା ବେଳେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଦୂରପାଲ୍ଲାର ଅନେକ ଗାଡ଼ି ଅଟକି ରହିଥିଲା। ନବରଙ୍ଗପୁରରୁ ପଡ଼ୋଶୀ କଳାହାଣ୍ଡି ଓ କୋରାପୁଟ ଜିଲାକୁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଏଥିଯୋଗୁଁ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ।ସହରର ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ତେବେ ଆମ୍ବୁଲାନ୍ସ, ଔଷଧ ଦୋକାନ ସମେତ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ସଂସ୍ଥା ଓ ଯାନବାହନକୁ ବନ୍ଦରୁ ବାଦ ଦିଆଯାଇଛି।
ଅନ୍ୟପକ୍ଷରେ, ନବରଙ୍ଗପୁର ଚାମ୍ବର ଅଫ୍ କମର୍ସ ପକ୍ଷରୁ ଏହି ବନ୍ଦକୁ ସମର୍ଥନ କରାଯାଇ ନଥିଲା। ଚାମ୍ବର ଅଫ୍ କମର୍ସର ଜିଲା ସଭାପତି କାହ୍ନୁ ଦାଶ ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟବସାୟୀମାନଙ୍କୁ ଦୋକାନ ଖୋଲିବା ପାଇଁ ଅପିଲ କରିଥିଲେ।କଂଗ୍ରେସର ଅଭିଯୋଗ ଅନୁଯାୟୀ, ପାଠ୍ୟପୁସ୍ତକରେ ୧୫ ଶହରୁ ଅଧିକ ତ୍ରୁଟି ରହିଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି। ଏଥିପାଇଁ ନୈତିକ ଦାୟିତ୍ୱ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦେବାକୁ କଂଗ୍ରେସ ଦାବି କରିଛି।
ଜିଲା କଂଗ୍ରେସ ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି ଯେ, ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅପାରଗତା ଯୋଗୁ ନବରଙ୍ଗପୁର ଜିଲାର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ତେଣୁ ସେ ତୁରନ୍ତ ମନ୍ତ୍ରୀପଦରୁ ଇସ୍ତଫା ଦିଅନ୍ତୁ ବୋଲି ଜିଲା କଂଗ୍ରେସ ଦାବି କରିଛି।