Categories: ଜାତୀୟ

‘ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଘୃଣାଭାବରେ କଂଗ୍ରେସ ଅନ୍ଧ ହୋଇଯାଇଛି’

ନୂଆଦିଲ୍ଲୀ,୨୯।୧୨: ଉଜବେକିସ୍ତାନରେ ସିରପ୍‌ ଯୋଗୁ ୧୮ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ଭାରତରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ନେତା ଜୟରାମ ରମେଶ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ବର୍ତ୍ତମାନ ଭାଜପା ନେତା ଅମିତ ମାଲବ୍ୟ ଏହାର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଘୃଣାଭାବରେ କଂଗ୍ରେସ ଅନ୍ଧ ହୋଇଯାଇଛି। ଗାମ୍ବିଆରେ ପିଲାମାନଙ୍କର ମୃତ୍ୟୁ ଭାରତରେ ତିଆରି କାଶ ସିରପ ଖାଇବା ସହିତ କୌଣସି ସମ୍ପର୍କ ନାହିଁ। ଉଭୟ ଗାମ୍ବିଆ କର୍ତ୍ତୃପକ୍ଷ ଏବଂ ଡିସିଜିଏ ଦ୍ୱାରା ସ୍ପଷ୍ଟ ହୋଇଛି ଯେ ଭାରତୀୟ ସିରପ୍‌ ଏହା ପଛରେ ନାହିଁ। ଏହା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘୃଣା କରୁଥିବା କଂଗ୍ରେସ ଭାରତର ଉଦ୍ୟୋଗକୁ ପରିହାସ କରୁଛି। ସେ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି।
ସୂଚନାଯୋଗ୍ୟ,ଜୟରାମ ରମେଶ ଟୁଇଟ୍‌ କରି କହିଛନ୍ତି, ମେଡ ଇନ ଇଣ୍ଡିଆ ସିରପ ମାରାତ୍ମକ ମନେହୁଏ। ପୂର୍ବରୁ ଗାମ୍ବିଆରେ ୭୦ ପିଲାଙ୍କର ମୃତ୍ୟୁ ହୋଇଥିଲା ଏବଂ ବର୍ତ୍ତମାନ ୧୮ ଜଣ ଶିଶୁ ଉଜବେକିସ୍ତାନରେ ମୃତ୍ୟୁବରଣ କରିଛନ୍ତି। ମୋଦି ସରକାର ଭାରତ ବିଷୟରେ ଗର୍ବ କରିବା ବନ୍ଦ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌।

Share