ଜଳାଶୟ ମାଟି କାମକୁ ନେଇ କଂଗ୍ରେସ – ବିଜେଡି ମୁହାଁମୁହିଁ: ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ପହଞ୍ଚିବା ପରେ ହଙ୍ଗାମା

ବଲାଙ୍ଗୀର, ୬।୬( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର କରଙ୍ଗାକଟା ଓ ନରସିଂହ ବନ୍ଧ ଆଡିରେ ଶନିବାର ସକାଳେ କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି ନେତୃତ୍ୱାଧୀନ ବଲାଙ୍ଗୀର ପୌର ପରିଷଦ ପକ୍ଷରୁ ବଲାଙ୍ଗୀର ମ୍ୟୁନିସିପାଲଟି ଅନ୍ତର୍ଗତ ୧୧ଟି ଜଳାଶୟରେ ଉନ୍ନୟନ କାମ କରାଯାଉଛି। ଏହି କାମକୁ ଦୁର୍ନୀତି ମୁକ୍ତ କରିବା ଏବଂ ଜୁନ ୧୫ ପୂର୍ବରୁ ଉନ୍ନୟନ କାମ ସମ୍ପୂର୍ଣ୍ଣ କରିବା ଦାବିରେ ଆଜି ନଗର କଂଗ୍ରେସ ପକ୍ଷରୁ କରଙ୍ଗାକଟା ଆଡିରେ ଧାରଣା ଦିଆଯାଉଥିଲା। ଏହି ସମୟରେ ଉନ୍ନୟନ କାମକୁ ବିରୋଧ କରୁଥିବା ଅଭିଯୋଗ କରି ବିଜେଡି ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ଏବଂ ଶତାଧିକ ସମର୍ଥକ ସେଠାରେ ପହଞ୍ଚି ଥିଲେ। ଏହା ପରେ କରଙ୍ଗାକଟା ହିଡରେ ଉଭୟ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ। ପରସ୍ପର ବିରୋଧରେ ନାରାବାଜି କରିଥିଲେ। ପୋଲିସ ମଝିରେ ରହି ଉଭୟ ଦଳକୁ ବୁଝାସୁଝା କରିଥିଲେ। ଢେର ସମୟ ଧରି ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

Odisha’s No.1 Odia Daily

Share