Categories: ଜାତୀୟ

୧୨ ସିଡବ୍ଲ୍ୟୁସି ପଦବୀ ଲାଗି ନିର୍ବାଚନ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୭।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଦଳ ପକ୍ଷରୁ ଏହାର ସର୍ବୋଚ୍ଚ ସଂଗଠନ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ର ୧୨ ପଦବୀ ପାଇଁ ନିର୍ବାଚନ ଘୋଷଣା କରାଯାଇଛି। ସିଡବ୍ଲ୍ୟୁସିର ୨୩ ସଦସ୍ୟଙ୍କ ମଧ୍ୟରୁ ୧୨ ଜଣଙ୍କୁ ନିର୍ବାଚିତ କରାଯିବାକୁ ଥିବାବେଳେ ଅନ୍ୟ ୧୧ ଜଣଙ୍କୁ ମନୋନୀତ କରାଯିବ ବୋଲି ଦଳର କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ କହିଛନ୍ତି। ୧୨ ପଦବୀ ପାଇଁ ଯଦି ଅଧିକ ପ୍ରାର୍ଥୀ ହୁଅନ୍ତି, ତେବେ ନିର୍ବାଚନ ଅନୁଷ୍ଠିତ ହେବ। ସିଡବ୍ଲ୍ୟୁସି ନିର୍ବାଚନ ଶେଷଥର ପାଇଁ ୧୯୯୭ରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ଏଆଇସିସି ପ୍ଲେନାରୀ ସେସନ୍‌ ଦଳ ଅଧ୍ୟକ୍ଷଙ୍କୁ ସିଡବ୍ଲ୍ୟୁସି ପୁନର୍ଗଠନ କ୍ଷମତା ଦେଇଆସିଛି। ସିଡବ୍ଲ୍ୟୁସି ନିର୍ବାଚନ ଲାଗି ଦଳର ୨୩ ଅସନ୍ତୁଷ୍ଟ ନେତା (ଜି-୨୩) ଦାବି କରିଥିଲେ। ଏଥିପାଇଁ ରାଜ୍ୟ ରିଟର୍ନିଂ ଅଫିସରମାନଙ୍କ ବୈଠକ ବସି ପିସିସି ସ୍ତରରେ ନିର୍ବାଚନ ପ୍ରକ୍ରିୟାକୁ ଆଗେଇନେବେ। ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ପାଇଁ ସେପ୍ଟେମ୍ବର ୨୪ରୁ ୩୦ ପ୍ରାର୍ଥତ୍ପତ୍ର ଦାଖଲ ନିମନ୍ତେ ସମୟ ଧାର୍ଯ୍ୟ ହୋଇଛି। ରାହୁଲ ଗାନ୍ଧୀ ଅଧ୍ୟକ୍ଷ ନିର୍ବାଚନରେ ସାମିଲ ହେବା ନେଇ ଆଗ୍ରହୀ ନ ଥିବାବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଦୌଡ଼ରେ ଆଗରେ ଥିବା କୁହାଯାଉଛି।

Share