Categories: ଜାତୀୟ

ପରମବୀର ଦେଶ ଛାଡ଼ିବା ଖବର ପାଇଁ କଂଗ୍ରେସ, ଭାଜପା ମୁହାଁମୁହିଁ

ମୁମ୍ବାଇ, ୧।୧୦: ଅନୁସୂଚିତ ଜାତି/ଜନଜାତି (ଅତ୍ୟାଚାର ନିରାକରଣ) ଆଇନରେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂଙ୍କ ବିରୋଧରେ ଅକ୍ଟୋବର ୨୧ ପର୍ଯ୍ୟନ୍ତ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମହାରାଷ୍ଟ୍ର ସରକାର ଶୁକ୍ରବାର ବମ୍ବେ ହାଇକୋର୍ଟଙ୍କୁ ଜଣାଇଛନ୍ତି। ସେହିପରି ଅନ୍ୟ ଏକ ମାମଲାରେ ଅନ୍ୟତମ ଆଇପିଏସ୍‌ ଅଫିସର ରଶ୍ମି ଶୁକ୍ଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ପରମବୀରଙ୍କୁ ଗିରଫ କରାଯିବ ନାହିଁ ବୋଲି ଗତ ମେ’ ୨୪ରେ ସରକାର ପ୍ରତିଶ୍ରୁତି ଦେଇଥିଲାବେଳେ ଏହାର ସମୟସୀମା ବୃଦ୍ଧି କରାଯାଇଥିବା ଆଇନଜୀବୀ ଓ୍ବାଇ.ପି. ୟାଗ୍ନିକ୍‌ କହିଛନ୍ତି। ଠାଣେ ପୋଲିସ ଗତ ଏପ୍ରିଲରେ ରୁଜୁ କରିଥିବା ଅତ୍ୟାଚାର ମାମଲା ରଦ୍ଦ ପାଇଁ ପରମବୀର ହାଇକୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି ଅକ୍ଟୋବର ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ଅନ୍ୟପକ୍ଷରେ ପରମବୀର ଦେଶ ଛାଡ଼ି ପଳାଇଥିବା ରାଜ୍ୟ ସରକାର ଦାବି କରୁଥିବାବେଳେ ଏହାକୁ ନେଇ କଂଗ୍ରେସ ଓ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ନୀରବ ମୋଦି, ମେହୁଲ ଚୋକ୍‌ସି ଏବଂ ବିଜୟ ମାଲ୍ୟାଙ୍କ ଭଳି ମୁମ୍ବାଇ ପୋଲିସର ପୂର୍ବତନ କମିଶନରଙ୍କୁ ନିରାପଦରେ ଦେଶ ଛାଡ଼ିଯିବାରେ ଭାଜପା ସହଯୋଗ କରିଥିବା କଂଗ୍ରେସ ନେତା ସଚିନ ସାଓ୍ବନ୍ତ ଅଭିଯୋଗ କରିଛନ୍ତି। ପରମବୀର ନିଖୋଜ ହେବାରେ ରାଜ୍ୟ ସରକାରଙ୍କୁ ଉତ୍ତରଦାୟୀ କରାଯିବା ଆବଶ୍ୟକ। ଏହା ଅଯଥାରେ କେନ୍ଦ୍ର ଉପରକୁ ଅଙ୍ଗୁଳି ଉଠାଉଛି ବୋଲି ପୂର୍ବରୁ ଭାଜପା ନେତା ରାମ କାଡାମ କହିଥିଲେ।

Share