Categories: ଜାତୀୟ

ସୋନିଆ ଇଡିରେ ହାଜର ହେବା ଦିନ ଦେଶବ୍ୟାପି ଆନ୍ଦୋଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୪ ।୭: ବହୁ ଚର୍ଚ୍ଚିତ ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ସମନ ପଠାଯିବାକୁ ବିରୋଧ କରି କଂଗ୍ରେସ ସାରା ଦେଶରେ ଆନ୍ଦୋଳନ କରିବାର ଯୋଜନା କରିଛି । ବୁଧବାର ଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଇଡି ଦ୍ୱାରା କଂଗ୍ରେସ ଅଧ୍ୟକ୍ଷାଙ୍କୁ ୨୧ ଜୁଲାଇରେ ହାଜର ହେବାକୁ ସମନ ଜାରି କରିଛି । ସେହିଦିନ ସାରା ଦେଶରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଛି ।
ଅଫିସିଆଲି ମିଳିଥିବା ସୂଚନା ଅନୁଯାୟୀ, ୨୧ ଜୁଲାଇରେ ନୂଆଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ସକାଳ ୧୧ଟାରେ ହାଜର ହେବାକୁ ସୋନିଆଙ୍କୁ ନୋଟିସ ଜାରି କରାଯାଇଛି । ଜୁନରେ ୫ ଦିନ ପାଇଁ ଇଡି ରାହୁଲ ଗାନ୍ଧୀଙ୍କୁ ପଚରା ଉଚରା କରିଥିଲା । ସେଥର ବି କଂଗ୍ରେସ ନେତା ଓ କର୍ମୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରିଥିଲେ । ଗୁରୁବାର ପୁଣିଥରେ କଂଗ୍ରେସ ବୈଠକ ଡାକିଛି । ବୈଠକରେ ଦଳର ସମସ୍ତ ମହାସଚିବ, ରାଜ୍ୟ ପ୍ରଭାରୀ ଓ ପିସିସି ମୁଖ୍ୟ ‘ଭାରତ ଯୋଡୋ ଯାତ୍ରା’ ଓ କଂଗ୍ରେସର ଅନ୍ୟ ସଙ୍ଗଠନାତ୍ମକ କାର୍ଯ୍ୟ ଉପରେ ବିଚାର କରିବେ । ବୈଠକରେ ମୁଖିଆଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ, ରାଲି ଓ ଭୋଟରଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ନେଇ ମନ୍ଥନ କରାଯିବ ।

Share