ଜି-୨୦ ଶିଖର ସମ୍ମିଳନୀରେ ପୁଟିନଙ୍କ ଯୋଗଦେବା ନେଇ ଦ୍ୱନ୍ଦ୍ୱ…

ମସ୍କୋ,୫।୧୧ : ଜି -୨୦ ଶିଖର ସମ୍ମିଳନୀ ପାଇଁ ତୀବ୍ର ପ୍ରସ୍ତୁତି ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଗଦେବା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ରୁଷିଆ ସୂତ୍ରରୁ ପ୍ରକାଶ ଯେ ପୁଟିନ ଏହି ସମ୍ମିଳନୀରେ ଯୋଗଦେବାର ସମ୍ଭାବନା ବହୁତ କମ। ଏହି ସମୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅନିଶ୍ଚିତତାକୁ ବଢ଼ାଇ କହିଛନ୍ତି ଯେ, ପୁଟିନ ଶିଖର ସମ୍ମିଳନୀକୁ ଆସିଲେ ସେ ଏଥିରେ ଯୋଗଦେବେ ନାହିଁ।

ତେବେ, ୟୁକ୍ରେନ ଜି -୨୦ ର ସଦସ୍ୟ ନୁହେଁ। କିନ୍ତୁ ୟୁକ୍ରେନ ଯୁଦ୍ଧ ପରେ ସୃଷ୍ଟି ହୋଇଥିବା ପରିସ୍ଥିତି ମଧ୍ୟରେଜେଲେନେସ୍କିଙ୍କୁ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରିଛନ୍ତି। ଏହାପୂର୍ବରୁ ପାଶ୍ଚାତ୍ୟ ଦେଶମାନେ ପୁଟିନଙ୍କୁ ଡାକିବା ଉଚିତ ନୁହେଁ ବୋଲି ଚାପ ପକାଇଥିଲେ। ଅପରପକ୍ଷରେ ଚାଇନା କହିଛି ଯେ ଯଦି ରୁଷିଆକୁ ନିମନ୍ତ୍ରଣ କରା ନ ଯାଏ ତେବେ ଏଥିରେ ସେ ମଧ୍ୟ ଭାଗ ନେବ ନାହିଁ। ଏହି ପରିସ୍ଥିତିରେ ଏକ ମଧ୍ୟମ ସମାଧାନର ବାଟ ଖୋଜି ୱିଡୋଡୋ ଉଭୟ ରୁଷିଆ ଏବଂ ୟୁକ୍ରେନର ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରିଛନ୍ତି ।

ନଭେମ୍ବର ୧୪ ଇଣ୍ଡୋନେସିଆର ବାଲିରେଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇଣ୍ଡୋନେସିଆ ସରକାର ସେଠାରେ୧୮,୦୦୦ ସୁରକ୍ଷା କର୍ମୀ ନିୟୋଜିତ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏଠାରେ ପହଞ୍ଚିବାକୂ ନିଶ୍ଚିତ କରିଛନ୍ତି। କିନ୍ତୁ ପୁଟିନ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାଁନ୍ତି। କିନ୍ତୁ ସେ ଆସି ନ ପାରନ୍ତି ବୋଲି ସୂଚିତ କରିଛନ୍ତି। କିଛି ଦିନ ପୂର୍ବରୁ ଭାଲଡାଇ ଡିସକ୍ସନ ଗ୍ରୁପକୁ ସମ୍ବୋଧିତ କରି ସେ କହିଥିଲେ ଯେ ସେ ୧୫ ଘଣ୍ଟା ବିମାନ ଯାତ୍ରା କରି ବାଲିଯାତ୍ରା କରିବେ କି ନାହିଁ ସେନେଇ ସେ ନିଷ୍ପତ୍ତି ନେଇ ନାହାଁନ୍ତି। ସେ କହିଥିଲେ – କିନ୍ତୁ ମୁଁ ନ ଗଲେ ମଧ୍ୟ ରୁଷିଆର ଉଚ୍ଚସ୍ତରୀୟ ପ୍ରତିନିଧୀ ସେଠାକୁ ଯିବେ।

Share