୨ ବର୍ଷ ପରେ ତୁଟିଲା ବିବାଦ, ନିର୍ମାଣ ହେବ ଅଙ୍ଗନୱାଡ଼ି ଗୃହ

ଲାଠୋର,୨୬।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଝର ପଞ୍ଚାୟତ ସାନଗୁର୍ଜିଭଟା ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣକୁ ନେଇ ୨ ବର୍ଷ ହେଲା ବିବାଦ ଲାଗି ରହିଥିଲା। ଏହି ବିବାଦ ରବିବାର ଅନ୍ତ ଘଟିଛି। ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ୱାର୍ଡ଼ସଭ୍ୟ ସୂଚନା ଦେଇଛନ୍ତି।

ଗାଁରେ ରହିଥିବା ଅଙ୍ଗନଓ୍ବାଡି ଗୃହ ବିପଦସଙ୍କୁଳ ଅବସ୍ଥାରେ ଥିବା ଯୋଗୁ ୨ ବର୍ଷ ତଳେ ବ୍ୟବହାର ଉପଯୋଗୀ ନୁହେଁ ବୋଲି ଘୋଷଣା କରାଯାଇଥିଲା। ଫଳରେ ପିଲାଙ୍କ ପ୍ରି-ସ୍କୁଲ କାର୍ଯ୍ୟକ୍ରମ ପ୍ରଭାବିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ସେଠାରେ ଏକ ନୂତନ ଗୃହ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଇଥିଲା। ହେଳେ ସରକାରୀ ଜମିର ଅଭାବ ହେତୁ ଗୃହ ନିର୍ମାଣ ହୋଇପାରୁ ନ ଥିଲା।

ଏପରି କି କେନ୍ଦ୍ରକୁ ଲାଗି ଯେଉଁ ସରକାରୀ ଜମି ରହିଥିଲା ତାହାକୁ ଗ୍ରାମର ଜଣେ ବ୍ୟକ୍ତି ଦଖଲ କରି ରଖିଲେ। ରବିବାର ୱାର୍ଡ଼ସଭ୍ୟ ସସ୍ମିତା କୁଅଁରଙ୍କ ଅଧ୍ୟକ୍ଷତାରେ ଗଁାରେ ଏକ ବୈଠକ ହୋଇଥିଲା। ବୈଠକରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଲାଠୋର କ୍ଷେତ୍ର ପରିଦର୍ଶିକା ଅଞ୍ଜଳି ମିଶ୍ର, ଅଙ୍ଗନୱାଡ଼ି କର୍ମୀ ସନ୍ଧ୍ୟାରାଣୀ ଗିରି, ଯାଞ୍ଚ କମିଟି କର୍ମକର୍ତ୍ତା, ମାତୃ କମିଟି ସଦସ୍ୟା, ବିଭିନ୍ନ ଏସ୍‌ଏଚ୍‌ଜି ସଦସ୍ୟା ଏବଂ ଗ୍ରାମର ଯୁବକ ଅଶୋକ କୁମୁରା, ସୁରେଶ କୁମୁରା, ଶିବଚରଣ ସୂର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଗ୍ରାମବାସୀଙ୍କ ସହମତି କ୍ରମେ ଜଳଯୋଗାଣ ପମ୍ପ ହାଉସ୍‌ ନିକଟରେ ଅଙ୍ଗନୱାଡ଼ି ଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏପରି କି ଗ୍ରାମବାସୀଙ୍କ ଦସ୍ତଖତ ଥିବା ଏକ ରେଜୁଲେସନ ପ୍ରସ୍ତୁତ କରି ଖପ୍ରାଖୋଲ ସିଡ଼ିପିଓଙ୍କୁ ପ୍ରଦାନ କରାଯାଇଛି।